ପ୍ରେମକୁ ବିରୋଧ କରିବାରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ପ୍ରେମୀ ଯୁଗଳ, ଉଦ୍ଧାର ପରେ ଥାନାରେ ହେଲା ବିବାହ ଜିଲ୍ଲାରାଜ୍ୟ By Nitidin On Mar 21, 2022 Share ଦେବଗଡ଼,ଏନ୍ଏନ୍ଏସ୍: ପ୍ରେମ ବିବାହକୁ ପରିବାର ଲୋକ ବିରୋଧ କରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରେମୀଯୁଗଳ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଦେବଗଡ଼ ଥାନା ପୁଲିସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୨ ଘଣ୍ଟାର ଚିକିତ୍ସା ପରେ ପ୍ରେମୀ ଯୁଗଳ ସୁସ୍ଥ ହେଇଥିଲେ। ଆଜି ଦେବଗଡ଼ ଥାନା ପୁଲିସର ସହାୟତାରେ ଉଭୟ ପରିବାରଙ୍କୁ ବୁଝାସୁଝା ପରେ ଲିଖିତ ଚୁକ୍ତିନାମା ପରେ ଗୋକର୍ନେଶ୍ୱର ମନ୍ଦିରରେ ଉଭୟ ପରସ୍ପରକୁ ଫୁଲହାର ପିନ୍ଧାଇ ଆପଣାଇଥିଲେ। ପରେ ଥାନାରେ ମଧ୍ୟ ପରସ୍ପରକୁ ଫୁଲହାର ଦେଇ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମହାସିନ୍ଧୁ ଗ୍ରାମର ସୁମନ୍ତ ପ୍ରଧାନ ଓ ବଡ଼ଚ୍ଛାପଲ ଗ୍ରାମର ନଳିନୀ କିଷାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ଉଭୟ ପ୍ରେମୀ ଯୁଗଳ ବିବାହ ପାଇଁ ମନସ୍ତ କରିଥିଲେ ମଧ୍ୟ ଉଭୟଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଶେଷରେ ହତାଶ ହୋଇ ଉଭୟ ପ୍ରେମୀ ଯୁଗଳ ଗତ ଶନିବାର ଦିନ ଘରୁ ବହୁ ଦୂରକୁ ଚାଲିଆସି ଦେବଗଡ଼ ଥାନା ଅନ୍ତର୍ଗତ ପୁଷ୍ପଙ୍ଗା ଗ୍ରାମ ନିକଟରେ କୀଟନାଶକ ପାନ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହାଦେଖି କେତେକ ଗ୍ରାମବାସୀ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତିନିଦିନ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ଆଜି ଉଭୟଙ୍କ ପରିବାର ଲୋକ ଦେବଗଡ଼ ଥାନାକୁ ଆସି ଏକ ଚୁକ୍ତିନାମା କରି ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେବା ସହ କୋର୍ଟ ମ୍ୟାରେଜ ପାଇଁ ପଦକ୍ଷେପ ନେବାକୁ ରାଜି ହୋଇଥିଲେ। ଏଥିସହ ଆଜି ସ୍ଥାନୀୟ ଗୋକର୍ନେଶ୍ୱର ମନ୍ଦିରରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳ ପରସ୍ପରକୁ ଫୁଲହାର ପିନ୍ଧାଇ ଆପଣାଇଥିଲେ। ପରିବାର ଲୋକଙ୍କୁ ବୁଝାସୁଝା କରି ସେମାନଙ୍କ ବିବାହ କରାଇଥିବାରୁ ଉଭୟ ପ୍ରେମୀ ଯୁଗଳ ଦେବଗଡ଼ ଥାନା ପୁଲିସକୁ ସାଧୁବାଦ ଜଣାଇଥିଲେ। Share