ପୁଲିସ ପାସ୍ ବିନା ରାଜଧାନୀରେ ଗଡ଼ିବନି ଗାଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କମିସନରେଟ ପୁଲିସର ପାସ ବିନା ଭୁବନେଶ୍ୱରରେ ଗଡ଼ିପାରିବନି କୌଣସି ଗାଡ଼ି । ଲକ୍ ଡାଉନ ସମୟରେ ଗାଡି ଚଳାଚଳ ଉପରେ କଟକଣା ଲଗାଇଛନ୍ତି କମିସନରେଟ ପୁଲିସ । ସୋମବାର ଲକ ଡାଉନ ସମୟରେ ଘରୋଇ ଗାଡି ଚଳାଚଳ ଉପରେ କଟକଣା ଲଗାଇବାସହ ଗାଡି ଚଳାଇବା ପାଇଁ ଥାନାରୁ ପାସ ଆଣିବାକୁ ବାଧ୍ୟତା ମୂଳକ ଥିବା ଘୋଷଣା କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟସରକାର ଘୋଷଣା କରିଥିବା ଲକ ଡାଉନ ସମୟରେ ଯାତାୟତ କରୁଥିବା ସମସ୍ତ ଲୋକଙ୍କୁ ପାସ ଆବଶ୍ୟକ ।

ତେବେ ସଚିବାଳୟର ଜରୁରୀକାଳିନ ବିଭାଗର କର୍ମଚାରୀଙ୍କୁ ଗୃହବିଭାଗ ପାସ୍‌ ଇସ୍ୟୁ କରୁଥିବା ବେଳେ ହସ୍ପିଟାଲ୍‌ କର୍ମଚାରୀଙ୍କୁ ସ୍ଥାନୀୟ ଆଇଆଇସି ପାସ ଦେବେ। ଗଣମାଧ୍ୟମ କର୍ମଚାରୀ ମଧ୍ୟ ଆଇଆଇସିଙ୍କଠାରୁ ପାସ୍ ଆଣିବେ । ପାସ ନ ଥିବା ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ । ଆଇଟି କମ୍ପାନିମାନଙ୍କୁ କର୍ମଚାରୀ କମାଇବାକୁ କୁହାଯିବା ସହିତ ଅତ୍ୟାବଶ୍ୟକସ୍ଥଳରେ ସ୍ଥାନୀୟ ଆଇଆଇସିଙ୍କ ଠାରୁ ପାସ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକ-ଡଉନ୍ ସମୟରେ ଲାଗୁ ହୋଇଥିବା ନିୟମକୁ କିଛି ଲୋକ ସହଯୋଗ କରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି।