ସୀମା ପ୍ରବେଶ ପଥ ଦେଇ ଶବ ଆଣିବାକୁ ପ୍ରଶାସନ ଅନୁମତି ନ ଦେବା ଘଟଣାରେ ପ୍ରତିକ୍ରିୟା ରଖିଲେ ଥାନା ଭାରପ୍ରାପ୍ତ ନିରୀକ୍ଷକ

ମାଲକାନଗିରି,ଏନ୍ଏନ୍ଏସ୍: ଲକଡାଉନରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନ ପାଇ ପ୍ରବାସୀ ଶ୍ରମିକର ମୃତ୍ୟୁ ଓ ସୀମା ପ୍ରବେଶ ପଥଦେଇ ଶବ ଆଣିବାକୁ ପ୍ରଶାସନ ଅନୁମତି ଦେଇ ନଥିବା ଘଟଣାରେ ମାଲକାନଗିରି ଭାରପ୍ରାପ୍ତ ଅଧିକାରୀ ରାମ ପ୍ରସାଦ ନାଗ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ଘଟଣାରେ ତଦନ୍ତ କରି ମୃତ ଦେହକୁ ମୋଟୁ ପ୍ରବେଶ ପଥ ନୁହେଁ, ଆନ୍ଧ୍ରପ୍ରଦେଶ ପ୍ରବେଶ ପଥରେ ଅଟକାଯାଇଥିବା କୁହାଯାଇଛି। ଆମ ଜିଲ୍ଲାର ପ୍ରବେଶ ପଥରେ ସମସ୍ତଙ୍କୁ ଆସିବାକୁ ଅନୁମତି ଦିଆଯାଉଛି। ଯେଉଁ ପ୍ରବାସୀ ପୂର୍ବରୁ ପଞ୍ଜିକରଣ କରି ନାହାନ୍ତି, ସେମାନଙ୍କୁ ପ୍ରବେଶ ପଥରେ ହିଁ ପଞ୍ଜିକରଣ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ତେଣୁ ଏହି ମହାମାରୀ ସମୟରେ ସହଯୋଗ କରିବାକୁ ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ସଦର ବ୍ଲକ୍ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଦଶରଥ କୁରାମୀଙ୍କ ପୁତ୍ର ବାସୁଦେବ କୁରାମୀ(୧୬)ଙ୍କ ସମେତ ସମ୍ପୃକ୍ତ ଗ୍ରାମର ୮ଜଣ ଓ କମଳାପଦର ଗ୍ରାମର ଜଣେ ଗତ ୩ ମାସ ହେଲା ତେଲେଙ୍ଗାନା ରାଜ୍ୟର ସୀତାପେଟାଠାରେ କାମ କରିବାକୁ ଯାଇଥିଲେ। ତେବେ ସେଠାରେ ବାସୁଦେବଙ୍କୁ ଜ୍ୱର ସହ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ଦେଖି ମେଡ଼ିସିନ ଦେଇ ବିଦା କରିଦେଇଥିଲେ।

ପରେ ଅଧିକ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା। ପରେ ଘରକୁ ଆସିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏକ ପୁରୁଣା ମୋଟର ସାଇକେଲ କିଣିଥିଲେ ହେଁ ତାଙ୍କୁ ଆସିବାକୁ ଅନୁମତି ମିଳିନଥିବା ତାଙ୍କ ସହକର୍ମୀ ଶ୍ରମିକ ମେଘନାଥ ଡୁରୁକା ଓ ପ୍ରଦୀପ ଦୋରା ଅଭିଯୋଗ କରିଛନ୍ତି। ଏହାର କିଛି ସମୟ ପରେ ବାସୁଦେବର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ସହକର୍ମୀମାନେ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣିବା ବେଳେ ଜିଲ୍ଲାର ମୋଟୁ ସୀମା ପ୍ରବେଶ ପଥରେ ଜିଲ୍ଲା ପ୍ରଶାସନ ଶବକୁ ଆଣିବା ପାଇଁ ଅନୁମତି ଦେଇନଥିବା ଅଭିଯୋଗ ହୋଇଥିଲା।