ପୁଲିସ-ମାଓ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛତ୍ରାଦାଣ୍ଡି ଜଙ୍ଗଲରେ ପୁଲିସ-ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତି ଓ ଜଙ୍ଗଲି ଅଞ୍ଚଳର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିବାବେଳେ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିତିନ କୁଶଲକର କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୯ଟା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ମାଓବାଦି ଗତିବିଧି ନେଇ ଖବର ମିଳିବା ପରେ ୧୦ଜଣ ସ୍ୱେଚ୍ଛାକୃତ ପୁଲିସ ଓ ଏକ ଏସଓଜି ଦଳ ତୁରକେଲା ଥାନା ଅଧିନସ୍ଥ ଛତ୍ରାଦାଣ୍ଡି ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରାୟ ୫ରୁ ୬ଜଣ ସଶସ୍ତ୍ର ମାଓବାଦିଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ମାଓବାଦିଙ୍କ ତରଫରୁ ଅତର୍କିତ ଗୁଳି ଚାଲଣା ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ପୁଲିସ ଓ ଏସଓଜି ଦଳ ମଧ୍ୟ ଗୁଳି ଚଳାଇଥିଲା । ପ୍ରାୟ ୧୦ ମିନିଟର ସଂଘର୍ଷ ପରେ ମାଓବାଦି ସେଠାରୁ ଫେରାର ମାରିଥିଲେ । ଘଟଣାସ୍ଥଳରୁ ୩ଟି ଛୁରି, ଗୋଟିଏ ଟର୍ଚ୍ଚ, ୨ଟି ଯୋତା, ଗୋଟିଏ ଟୁରିଷ୍ଟ ବ୍ୟାଗ, ଗୋଟିଏ ତାରପୋଲିନ, ଗୋଟିଏ ସୋଲାର ପ୍ୟାନେଲ, ୩ଟି ମଗ, ୩ଟି ପାଣି ଜାର, ୨ଟି ଶାର୍ଟ ଓ ହଳେ ପ୍ୟାଣ୍ଟ ମିଳିଥିଲା । ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ୧୦୯ ରାଉଣ୍ଡ ଗୁଳି ଚଲା ଯାଇଥିବାବେଳେ ଅନୁସନ୍ଧାନ ମଧ୍ୟ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି ।