ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଶୋଭାଯାତ୍ରାରେ ପୁଲିସର ଲାଠିଚାଳନା

ନୂଆଦିଲ୍ଲୀ,ଏଜେନ୍ସି: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ଯାଇ ଦିଲ୍ଲୀ ପୁଲିସ ଲାଠିଚାଳନା କରିବା ସହ ଅନେକଙ୍କୁ ଅଟକ ରଖିଛି।

ଏହି ପରିପ୍ରେକ୍ଷୀରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ପୁଲିସ ବିକ୍ଷୋଭକାରୀମାନଙ୍କୁ ୩ଟି ବସ୍‌ରେ ଭର୍ତ୍ତି କରି ଥାନାକୁ ନେଇଥିବା ଜଣାପଡ଼ିଛି। ବରିଷ୍ଠ ନେତା ସୀତାରାମ ୟେଚୁରୀ, ଡି. ରାଜା, ପ୍ରକାଶ କରାଟ, ବୃନ୍ଦା କରାଟ, ଶରଦ ଯାଦବ ପ୍ରମୁଖ ସାମିଲ ହୋଇ ମଣ୍ଡି ହାଉସ୍‌ଠାରୁ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲେ।

ସେମାନେ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ଯାଇ ରବିବାର ଜେଏନ୍‌ୟୁ ପରିସରରେ ଆକ୍ରମଣ ଘଟଣା ପ୍ରତିବାଦରେ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। ଏଥିସହିତ ସେମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା ଦାବି କରିଥିଲେ। କୁଳପତି ଏମ୍‌. ଜଗଦେଶ କୁମାରଙ୍କ ସହ ଆଲୋଚନା କରିବେ ବୋଲି ଏଚ୍‌ଆର୍‌ଡି ସଚିବ କହିଛନ୍ତି। ଏଚ୍‌ଆର୍‌ଡି ଅଧିକାରୀମାନଙ୍କୁ ଭେଟିବା ପରେ ଛାତ୍ରସଂଘ ସଭାନେତ୍ରୀ ଐଶ ଘୋଷଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପୁଲିସ ଅନୁମତି ଦେଇନଥିଲା।

ହିଂସା ଘଟଣାର ତଦନ୍ତ ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିବା କୁଳପତି କହିଛନ୍ତି। କ୍ୟାମ୍ପସ୍‌ରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ସହ ହିଂସା ଘଟଣାର ତଦନ୍ତ କରାଯିବ । ଦୁର୍ବୃତ୍ତଙ୍କ ଆତଙ୍କରାଜ ଓ ହିଂସାକାଣ୍ଡରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଆଇସି ଘୋଷଙ୍କ ସମେତ ୩୫ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।