ଲକଡାଉନ ଅମାନ୍ୟ କରି ୮ ମାମଲାରେ ୧୨ ଗିରଫ, ୧ କାର ସମେତ ୭ ବାଇକ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ସମ୍ପ୍ରତି ଦେଶରେ ଦେଖା ଦେଇଥିବା କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ରକ୍ଷା ନିମନ୍ତେ ସମଗ୍ର ଦେଶକୁ ଲକଡାଉନ କରାଯାଇଥିବା ବେଳେ କେତେକ ଅମାନିଆ ଲୋକ ଏଥିପ୍ରତି ସତର୍କ ହେଉନାହାନ୍ତି। ଏଥିସହ ସେ ନିଜେ ବିପଦ ମୁଖକୁ ଗତିକରିବା ସହ ଦେଶକୁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ଯାଞ୍ଚ ପ୍ରକ୍ରିୟା କଡ଼ା କଡ଼ି କରିଛି। ଜରୁରୀ କାରଣ ବିନା କୌଣସି ବ୍ୟକ୍ତି ପଦାକୁ ଆସିବାରେ ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରୁଛି।

ଏହି କ୍ରମରେ ଗତକାଲି କୁଣ୍ଢେଇଗୋଳା ଥାନା ଅଞ୍ଚଳରେ କେତକ ଯୁବକ ଭୋଜି ଭାତର ଆୟୋଜନ କରି ଗହଳି କରୁଥିବା ଅଭିଯୋଗରେ କୁଣ୍ଢେଗୋଲା ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଉ କେତେକ ଖସି ଯିବାରେ ସଫଳ ହୋଇଥିଲେ। ଏଥିରେ ପୁଲିସ ସେମାନଙ୍କ ନିକଟରୁ ୪ଟି ବାଇକ ଜବତ କରିଥିଲା। ସେହିପରି ଲକଡାଉନ ଅମାନ୍ୟ କରିଵା ଅଭିଯୋଗ ରେ ରିଆମାଳ ଥାନା ପୁଲିସ ୨ବାଇକ ସହ ୨ଜଣଙ୍କୁ ଗିରଫ କରିଥିବା ବେଳେ ବାରକୋଟ ଥାନା ପୁଲିସ ଜଣେ ବ୍ୟକ୍ତି ଓ ଗୋଟିଏ ବାଇକ ଏବଂ ଦେବଗଡ଼ ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଜଣେ ପୁଲିସ ଉପରକୁ ପଥର ଫିଙ୍ଗିଵା ଅଭିଯୋଗରେ ଗିରଫ ହୋଇଛି। ସେହିପରି ପୁଲିସ ଏକ ୪ ଚକିଆ ଯାନ ଜବତ କରିଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।