ଟ୍ରାଫିକ ପୁଲିସଙ୍କ ଲାଞ୍ଚ ନିଆ ଓ ୟୁନିଫର୍ମରେ ପୁଲିସଙ୍କ ଜୁଆ ଖେଳ ଭିଡିଓ ଭାଇରାଲ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେ ନେଇ ରାଜ୍ୟ ସରକାର ‘ମୋ ସରକାର’ ଓ ‘୫ଟି’ ଭଳି ଯୋଜନା ପ୍ରଣୟନ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ନୋ ଏଣ୍ଟ୍ରି ସମୟରେ ସହର ଭିତରକୁ ବିଭିନ୍ନ ଭାରୀଯାନ ପ୍ରବେଶ କରାଇ ବ୍ୟବସାୟୀଙ୍କ ଠାରୁ ଟ୍ରାଫିକ କର୍ମଚାରୀ ଟ୍ରକ ପିଛା ୨ଶହ ଟଙ୍କା ଲାଞ୍ଚ ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ସିମେଣ୍ଟ ବ୍ୟବସାୟୀ ବେନିୟମ ଭାବରେ ସହର ଭିତରକୁ ଭାରୀଯାନ ପ୍ରବେଶ କରାଇଥିବା ବେଳେ ସିଭିଲ ଡ୍ରେସରେ ଜମେ ଟ୍ରାଫିକ କର୍ମଚାରୀ ଆସି ଟଙ୍କା ମାଗିଥିଲେ। ସେଠାରେ ବ୍ୟବସାୟୀ ଜଣଙ୍କ ୫୦୦ଟଙ୍କା ଦେବା ପରେ ଟ୍ରାଫିକ କର୍ମଚାରୀ ତାଙ୍କୁ ୩୦୦ ଟଙ୍କା ଫେରାଇ ସେଠାରୁ ଚାଲି ଯାଇଥିଲେ।

ଅପରପକ୍ଷରେ ମଙ୍ଗଳବଜାର ପୁରୁଣା ହସ୍ପିଟାଲ ପଛ ପଟେ ଡ୍ୟୁଟି ସମୟରେ ଜଣେ ପୁଲିସ କର୍ମଚାରୀ କେତେକ ଯୁବକଙ୍କ ସହ ଜୁଆ ଖେଳରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ତେବେ ଡ୍ୟୁଟି ସମୟରେ ନିଜ କର୍ତ୍ତବ୍ୟ ପାଳନ ନକରି ପୁଲିସ ପୋଷାକ ପିନ୍ଧି ଜୁଆ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ତୀବ୍ର ପ୍ରତିକ୍ରିୟ ପ୍ରକାଶ ପାଇଛି। ତେବେ ଲାଞ୍ଚ ନେଉଥିବା ଟ୍ରାଫିକ ପୁଲିସ ଓ ଜୁଆ ଖେଳୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ତେବେ କର୍ତ୍ତବ୍ୟରେ ଅବହେଳା କରି ଜୁଆ ପରି ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ପୁଲିସ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି।