ପୁଲିସ-ଅବକାରୀ ମିଳିତ ଚଢ଼ଉ,୧୭୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ଅବକାରୀ ବିଭାଗ ଓ କୋରାପୁଟ ସଦର ଥାନା ପୁଲିସ ଡେଙ୍ଗାଯାନୀଗୁଡ଼ା ଗ୍ରାମରେ ମିଳିତ ଚଢ଼ଉ କରି ୧୭୫୦ ଲିଟର ଗୁଡ଼ ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ସଦର ଥାନା ଡେଙ୍ଗାଯାନୀଗୁଡ଼ା ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ମିଳିବା ପରେ ଜଣେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଦର ଥାନାଧିକାରୀ ସମର୍ପିତା ସ୍ୱାଇଁ, କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ୍ ଯାନୀଙ୍କ ନେତୃତ୍ୱରେ ଗଠିତ ଟିମ୍ ଚଢ଼ଉ କରି ପୋଚ ଓ ରନ୍ଧା ମଦ ଜବତ କରିଥିଲା। ଜୟପୁର ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି, କୋରାପୁଟ ସଦର ଏଏସଆଇ ଅରୋପଲକ ଦାସ, ଅବକାରୀ ଓ ପୁଲିସ କର୍ମଚାରୀଙ୍କ ସମେତ ଏପିଆର୍ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ। ଘଟଣାସ୍ଥଳରୁ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ କାରବାର କରୁଥିବା ଲୋକେ ଫେରାର ହୋଇ ଯାଇଥିଲେ।