ମାଲକାନଗିରି,ଏନ୍ଏନ୍ଏସ୍: ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ପ୍ରଥମେ ସେ ସ୍ୱାଭିମାନ ଅଂଚଳର ଜାନବାଇ, ବଡ଼ପଡ଼ା ଓ ଜନ୍ତପାଇ ବି.ଏସ.ଏଫ କ୍ୟାମ୍ପକୁ ହେଲିକାଫ୍ଟର ଯୋଗେ ପରିଦର୍ଶନ କରି ବି.ଏସ.ଏଫର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ସ୍ୱାଭିମାନ ଅଂଚଳର ସ୍ଥିତି ଓ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏଥିସହ ସଂପୃକ୍ତ ଅଂଚଳରେ ମାଓ ଦମନ, କୁମ୍ବିଂ ଅପରେସନ ଜୋରଦାର କରିବା ସହ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ସୁରକ୍ଷାକର୍ମିଙ୍କ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ।
ପରେ ସେ ଏମ.ଭି-୩ ସ୍ଥିତ ବି.ଏସ.ଏଫ କ୍ୟାମ୍ପରେ ହେଲାକାଫ୍ଟର ଯୋଗେ ଅବତରଣ କରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଅନୁଷ୍ଟିତ ଏକ ସମୀକ୍ଷା ବ÷ଠକରେ ଯୋଗ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଜିଲ୍ଲାରେ ମାଓ ଅପରେସନ କିପରି ଚାଲିଛି, ଜବାନମାନଙ୍କ ମନୋବଳ କିଭଳି ରହିଛି ଓ ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସଙ୍ଗେ ସଙ୍ଗେ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ପୋଲିସ, ବି.ଏସ.ଏଫ,ଆଇ.ଆର.ବି.ଏନ, ଏସ.ଏସ.ବି.ଏନ, ଡି.ଭି.ଏଫ ଓ ଏସ.ଓ.ଜି ଜବାନଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ ସେ ସମ୍ପର୍କରେ ଆଲୋଚନା କରାଯିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯିବାକୁ ପରାମର୍ଶ ଦେଇଥିଲେ।
ସରକାର ସ୍ୱାଭିମାନ ଅଂଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି। ଆଜି ବୈଠକରେ ମୂଖ୍ୟତଃ ଆଗାମୀ ଦିନରେ କଣ ରଣନିତି ରହିବ , କିଭଳି ସ୍ୱଚ୍ଛତା ରକ୍ଷା କରାଯାଇପାରିବ ଓ ସୁରକ୍ଷାକର୍ମି ମୁତୟନ ସମ୍ପର୍କରେ ଆଲୋଚନା କରାଯିବ ଓ ସରକାରଙ୍କ ସ୍ୱାଭିମାନ ଅଂଚଳରେ ବିକାଶ କରାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ସଫଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ତାଙ୍କ ସହ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ(ସଦର) ଭିନୟତୋଷ ମିଶ୍ର, ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି , ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଧା କିଷ୍ଣନ ଶର୍ମା, ଆଇ.ଜି ଆଧୁନିକୀକରଣ ରେଖା ଲୋହାନୀ, ଆଇ.ଜି ଅପରେସନ ଅମିତାଭ ଠାକୁର, ଡି.ଆଇ.ଜି ଏସ.ଆଇ.ଡବ୍ଲ୍ୟୁ ଅନିରୁଦ୍ଧ ସିଂ ଗସ୍ତ କରି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିସହ ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ, ମାଲକାନଗିରି ଏସ.ପି ରିଷିକେଶ ଡି ଖିଲାରୀଙ୍କ ସମେତ ବି.ଏସ.ଏଫର ବରିଷ୍ଠ ଅଧକାରୀ ଓ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।