ପୁଲିସ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା: ବଶିଷ୍ଠ

ମୁମ୍ବାଇ,ଏଜେନ୍ସି: ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଗିରଫରୁ ବଞ୍ଚାଇବା ପାଇଁ ମୁମ୍ବଇ ପୁଲିସ ତାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି କହିଛନ୍ତି ଅଭିନେତ୍ରୀ ଗେହନା ବଶିଷ୍ଠ। ଗତ ଫେବୃଆରୀରେ ଏହି ମାମଲାରେ ଗିରଫ ହୋଇ ୪ ମାସ କାରାଗାରରେ ରହିବା ପରେ ଜାମିନରେ ଆସିଛନ୍ତି। ଏଥିସହ ସେ କହିଛନ୍ତି ଯେ ଏଥିପାଇଁ ସେ ରାଜି ହୋଇ ନଥିଲେ। ଏମିତିକି କାରାଗାରରୁ ମୁକୁଳାଇବା ପାଇଁ ମଧ୍ୟ ପୁଲିସ ତାଙ୍କଠାରୁ ଟଙ୍କା ଦାବି କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ନିଜ ଅଭିଯୋଗ ସପକ୍ଷରେ ସେ ଅରବିନ୍ଦ ଶ୍ରୀବାସ୍ତବ ଓରଫ ଯଶ ଠାକୁର ଓ ତନଭୀର ହାସମୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ବାର୍ତ୍ତାଳାପକୁ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଛନ୍ତି। ଏହି ଦୁଇ ଅଭିଯୁକ୍ତ ତାଙ୍କ ପାଇଁ ୮ଲକ୍ଷ ସଂଗ୍ରହ କରିଥିଲେ ବୋଲି ବଶିଷ୍ଠ ଦର୍ଶାଇଛନ୍ତି। ପୁଲିସ ତାଙ୍କ ବିରୋଧରେ ପରବର୍ତ୍ତୀ ସମୟରେ ଆଉ ଏକ ଏତଲା ରୁଜୁ କରିଥିଲା। ରାଜ କୁନ୍ଦ୍ରା ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାଧ୍ୟ କରିଥିଲେ ବୋଲି ବଶିଷ୍ଠ ଅଭିଯୋଗ କରିଥିଲେ।