ଦୀର୍ଘ ୧୨ ଘଣ୍ଟା ପରେ ପୁଲିସ ପଞ୍ଝାରେ ଅଭିଯୁକ୍ତ

ନୀଳଗିରି,ଏନ୍ଏନ୍ଏସ୍: ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ନିଚ୍ଛନ୍ଦପୁର ଗାଁରେ ଜଣେ ଯୁବକକୁ ଗିରଫ କରିବାକୁ ଯାଇ ପୁଲିସ ଦୀର୍ଘ ସମୟ ଧରି ଅଟକି ରହିବା ପରେ କାବୁ କରିଛି। ସୂଚନା ଅନୁସାରେ ଗତ କିଛିଦିନ ହେବ ଜଣେ ଯୁବକ ଗାଁରେ ବାରମ୍ବାର ଗଣ୍ଡଗୋଳ କରିଆସୁଛି। ଏହାକୁ ନେଇ ଗ୍ରାମବାସୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏ ସମ୍ପର୍କରେ ପୁଲିସରେ ମଧ୍ୟ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଗାଁକୁ ଯାଇଥିବା ବେଳେ ଯୁବକଙ୍କୁ ପାନେ ଦେବାପାଇଁ ଗ୍ରାମବାସୀ ତାଙ୍କ ଘର ସାମ୍ନାରେ ବସିରହିଥିଲେ। ଯୁବକ ଜଣଙ୍କ ଗ୍ରାମବାସୀଙ୍କ ଡରରେ ଘରୁ ପଦାକୁ ବାହାରି ନଥିଲେ। ପୁଲିସ ଏନେଇ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଛାଡି ନଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ପୁଲିସ ସେଠାରେ ଅପେକ୍ଷା କରି ବର୍ତ୍ତମାନ ତାକୁ ଧରିଥିବା ଜଣାପଡ଼ିଛି। ଯୁବକକୁ ପୁଲିସ ଧରିବା ବେଳେ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଏନେଇ ପୁଲିସକୁ ହଟହଟା ହେବାକୁ ପଡ଼ିଥିଲା।