ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପରେ ଥାନା ଅଧିକାରୀଙ୍କ ଜୁଲୁମ; କାର୍ଯ୍ୟାନୁଷ୍ଠାନ ଦାବି

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ଘଟିଥିବା ସନ୍ତୋଷ ପ୍ରଧାନ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗତ ଜୁନ ୨୪ ତାରିଖରେ ରିଆମାଳ ଥାନା ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ଏବେ ଜେଲ ହାଜତରେ ଅଛନ୍ତି। ତେବେ ଗିରଫ ଅଭିଯୁକ୍ତମାନେ ହତ୍ୟା ଘଟଣାରେ ସମ୍ପୃକ୍ତ ନଥିବା ଏବଂ ପ୍ରକୃତ ଦୋଷୀ ପଦାରେ ବୁଲୁଥିବା ଦର୍ଶାଇ ଗିରଫ ଅଭିଯୁକ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହିତ ପରିବାର ଲୋକେ ଏବଂ ଅଞ୍ଚଳବାସୀ ଏ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ଗତ ଜୁଲାଇ ୧୭ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ମହା ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଦାବି କରିଥିଲେ। ଏଥିସହ ଏହାର ନକଲ ଦେବଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ପ୍ରଦାନ କରିଥିଲେ।

ଏଥିରେ ପ୍ରତିକ୍ରିୟାଶୀଳ ହୋଇ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେର୍କେଟା ଦାବିପତ୍ରରେ ଦସ୍ତଖତ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାନା ଧମକ ଚମକ ଦେବାସହ ଏକ ସାଧା କାଗଜରେ ସେମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଇବା ସହ ଜୁଲୁମ କରିଥିବା ଅଭିଯୋଗ ହୋଇଛି।

ଏନେଇ ଦେବଗଡ ସ୍ଥିତ ଏକ ଘରୋଇ ହୋଟେଲର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ଅଭିଯୁକ୍ତମାନଙ୍କ ସମ୍ପର୍କୀୟମାନେ ସୂଚନା ଦେବା ସହ ଶ୍ରୀ କେର୍କେଟା ଓ ତାଙ୍କ ସହେଯାଗୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗିରଫ ଅଭିଯୁକ୍ତମାନଙ୍କ ସମ୍ପର୍କୀୟା ଋକ୍ମିଣୀ ପ୍ରଧାନ, ମମତା ବେହେରା, ସଞ୍ଜୁକ୍ତା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ, ଗୀତାଞ୍ଜଳି ପୁଲେଇ, ପାଲୁଣି ପ୍ରଧାନଙ୍କ ସମେତ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ଥିଲେ। ଅଭିଯୋଗ ସମ୍ପର୍କରେ ମତାମତ ନିମନ୍ତେ ରିଆମାଳ ଥାନା ଅଧିକାରୀ ଶ୍ରୀ କେର୍କେଟାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ଏହା ସମ୍ଭବ ହୋଇନାହିଁ।