ପୁଲିସ ଗାଡିସହ ଡକାୟତଙ୍କ ବାଇକ ମୁହାଁମୁହିଁ ଧକ୍କା, ୧ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କେରୁଆଲବାହାଲ ଗ୍ରାମରେ ବନହରପାଲ ପୁଲିସ ଗାଡିସହ ଏକ ନମ୍ବର ବିହୀନ ପଲସର ବାଇକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ଜଣକ ସମ୍ବଲପୁର ରେଙ୍ଗାଲିର ଧର୍ମେନ୍ଦ୍ର ଖଡିଆ (୨୯) ଓ ଗୁରୁତର ବ୍ୟକ୍ତି ଜଣକ ବ୍ରଜରାଜନଗର ଅଞ୍ଚଳର ସପନ ଖଡିଆ (୩୦) ବୋଲି ଜଣାପଡିଛି। ଗୁରୁତର ସପନକୁ ପୁଲିସ ସ୍ଥାନୀୟ ଟିଆଏଲ ହସ୍ପିଟାଲରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ ବନହରପାଲି ଥାନା ଅନ୍ତର୍ଗତ ସାହାଜବାହାଲ ଅଞ୍ଚଳରେ ଭାରତ ଫାଇନେନ୍ସ ନାମକ ଏକ ସଂସ୍ଥାର ମହିଳା କର୍ମଚାରୀ ରଂଜୁ ବାବି ନିଜର ଗ୍ରାହକମାନଙ୍କଠାରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ୨ଜଣ ଲୁଟେରା ତାଙ୍କ ନିକଟରୁ ଡକାୟତି କରିଥିଲେ। ଏନେଇ ସ୍ଥାନୀୟ ଲୋକେ ଲଖନପୁର ପୁଲିସକୁ ଖବର ଦେଇଥିଲେ। ଲଖନପୁର ପୁଲିସ ସ୍ଥାନୀୟ ଅଞ୍ଚଳର ଅନ୍ୟ ଥାନଧିକାରୀମାନଙ୍କୁ ସୂଚନା ଦେଇ ତନାଘନା ଆରମ୍ଭ କରିଥିଲେ। କିଛି ସମୟ ପରେ ଡକାୟତମାନେ ବନ୍ଧବାହାଲ ପଟୁ ବେହେରାଗୁଡା ପଟେ ପଳାୟନ କରୁଥିବା ପୁଲିସ ସୂଚନା ପାଇଥିଲା।

ତତ୍ପରତା ଅବଳମ୍ବନକରି ବନ୍ଧବାହାଲ ଫାଣ୍ଡି ପୁଲିସ ବନ୍ଧବାହାଲପଟୁ ଡକାୟତମାନଙ୍କୁୁ ଗୋଡାଇଥିବା ବେଳେ ଲଖନପୁର ପୁଲିସ ବେହେରାଗୁଡା ପଟୁ ଆସିଥିଲା। ଲଖନପୁର ପୁଲିସ ଗାଡି ଦେଖି ଡକାୟତମାନେ ଦୃତଗତିରେ ପଳାୟନ କରିବାକୁ ଚେଷ୍ଟା କରିବା ସମୟରେ ବନ୍ଧବାହାଲ ପୁଲିସ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ପୁଲିସ ଡକାୟତମାନଙ୍କୁ ସ୍ଥାନୀୟ ଟିଆରଏଲ କ୍ରୋସାକି ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଘଟଣାସ୍ଥଳରୁ ଏକ ୭ ଏମଏମ ଗୁଳି ବିଶିଷ୍ଟ ୬ ରାଉଣ୍ଡ ମାଉଜର ଜବତ କରିଛି। ଏହି ଡକାୟତିମାନେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଳାରେ ଜଡିତ ଥିଲେ ଲଖନପୁର ଥାନା ଆରକ୍ଷୀ ଅଧିକାରୀ ବୈକୁଣ୍ଠ ବିହାରୀ ସେଠ କହିଛନ୍ତି।