ଜାମିଆ ଛାତ୍ରଙ୍କୁ ପୁଲିସର ମାଡ଼ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ପଶି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ରବିବାର ଜାରି ହୋଇଛି। ଜାମିଆ ସମନ୍ୱୟ କମିଟି ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି। ଏହା ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଭିନ୍ନ ଦଳର ରାଜନେତାମାନେ ଛାତ୍ରଙ୍କ ପ୍ରତି ପୁଲିସର ଏପ୍ରକାର କାର୍ୟ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି।

ଭିଡିଓରେ ଦେଖାଯାଇଛି, ୭ରୁ ୮ ଜଣ ସୁରକ୍ଷାକର୍ମୀ ଲାଇବ୍ରେରୀର ଓଲ୍ଡ ରିଡିଂ ହଲରେ ପଶି ଛାତ୍ରମାନଙ୍କୁ ଲାଠିରେ ପିଟୁଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀମାନେ ମୁହଁକୁ ରୁମାଲରେ ଢାଙ୍କିଥିବା ଦେଖାଯାଇଛି। ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ପୁଲିସ ବିରୋଧରେ ଯେଉଁଦିନ ଏଭଳି ଅଭିଯୋଗ ଆଣିଥିଲେ ଏହି ଭିଡିଓ ସେହିଦିନର ବୋଲି ସ୍ପଷ୍ଟ ପ୍ରମାଣ ରହିଛି। ୨୦୧୯ ଡିସେମ୍ବର ୧୫ରେ ପୁଲିସ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା।