୯ ଡକାୟତଙ୍କୁ ବାନ୍ଧିଲା ପୁଲିସ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: ତୁମୁଡ଼ିବନ୍ଧ-କୋଟଗଡ଼ ରାସ୍ତାରେ ଲୁଟପାଟ କରୁଥୁବା ଏକ ୯ ଜଣିଆ ଡ଼କାୟତଦଳକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ଏହି ଗ୍ୟାଙ୍ଗ ଉକ୍ତ ରାସ୍ତାଦେଇ ଯାଉଥିବା ଯାତ୍ରୀକୁ ଅଟକାଇ ସେମାନଙ୍କ ଠାରୁ ମୋବାଇଲ୍ ଓ ଟଙ୍କା ଲୁଟ୍ କରୁଥିଲେ। ପୁଲିସ ଆଜି ଉକ୍ତ ଗ୍ୟାଙ୍ଗକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ବାଇକ୍ , ୧୨ ହଜାର ଟଙ୍କା, ୨ଟି ଛୁରି, ୨ ହଳ ସିଆରପିଏଫ ଜବାନ ପୋଷାକ ସହିତ ୧୩ଟି ମୋବାଇଲ ଜବତ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


ସୂଚନା ଅନୁସାରେ, ରବିବାର ରାତିରେ ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକରେ ଲୁହା ପାଇପ୍ ବୋଝେଇ ହୋଇ ଆସୁଥିବାବେଳେ ମଶାଣି ନିକଟରେ ଦୁର୍ବୃତ୍ତମାନେ ପଥର ମାଡ଼ କରିଥିଲେ। ଏଥିରେ ଡ୍ରାଇଭର କୃଷ୍ଣଚନ୍ଦ୍ର ପାଣ୍ଡବଙ୍କର ମୁଣ୍ଡଫାଟି ଯାଇଥିଲା। ଏହାପରେ ୨ ଜଣ ଦୁର୍ବୃତ୍ତ କୃଷ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ର ଦେଖାଇ ୭୫୦୦ ଟଙ୍କା ଲୁଟି ନେଇଥିଲେ। ତେବେ ଏହି ସମୟରେ ଆଉଏକ ଟ୍ରକ୍ ଆସିଯିବାରୁ ଡ଼କାୟତମାନେ ଗାଡ଼ିରୁ ଲୁଟ୍ କରିବାରେ ବିଫଳ ହୋଇଥିଲେ। ଏନେଇ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁକରି ଚଢ଼ଉ କରି ୯ ଜଣ ଡ଼କାୟତଙ୍କୁ ଗିରଫ କରିଛି।