ପୁଲିସ ଉପରକୁ ପଥର ଫିଙ୍ଗି ୩ ଯୁବକ ଗିରଫ

ପାଟଣା,ଏନ୍ଏନ୍ଏସ୍: କରୋନା ମହାମାରୀ ସଂକ୍ରମଣ ପାଇଁ ସାରା ଦେଶ ଲକଡାଉନରେ ରହିଛି। ଆଉ ଏହି ମହାମାରୀରେ ଯୋଦ୍ଧା ସାଜିଛନ୍ତି ଡାକ୍ତର, ପୁଲିସ କର୍ମଚାରୀ। ଏହି ସମୟରେ ସାରା ଦେଶ ପୁଲିସ କର୍ମଚାରୀଙ୍କ ନିଷ୍ଠାପର ସେବା ପାଇଁ ସଲାମ କରୁଥିବା ବେଳେ କେତେକ ଦୁର୍ବୃତ୍ତ ପୁଲିସଙ୍କ ଉପରକୁ ପଥରମାଡ଼ କରୁଛନ୍ତି। ସୂଚନା ଅନୁସାରେ ବାରିଆ ଥାନା ସୀମା ଜଜପଶି ଠାରେ ପୁଲିସ ଗାଡି ଯାଞ୍ଚ କରୁଥିବା ସମୟରେ ତୁରୁମୁଙ୍ଗା ଥାନା ବୁଢିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ଗ୍ରାମର ଜଣେ ନାବାଳକ ସହ ଅନ୍ୟ ୩ ଜଣ ଯୁବକ ଗୋଟିଏ ସ୍କୁଟରରେ ଜଜପଶି ଗ୍ରାମରୁ ଫେରୁଥିଲେ।

ଏହି ସମୟରେ ଗାଡ଼ିରେ ୪ ଜଣ ନିଶାଶକ୍ତ ଅବସ୍ଥାରେ ଥିବାରୁ ଚେକିଂ ଦାୟିତ୍ୱରେ ଥିବା ବାରିଆ ଥାନା ଏଏସଆଇ ବିଦ୍ୟାଧର ବେହେରା ସେମାନଙ୍କୁ ଅଟକାଇ ଥିଲେ। ମାତ୍ର ସେମାନେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଏଏସଆଇ ଶ୍ରୀ ବେହେରା ଗାଡିକୁ ଜବତ କରିଥିଲେ। ଉକ୍ତ ଯୁବକମାନେ ପୁଲିସ ଉପରକୁ ପଥର ଫିଙ୍ଗି ଥିଲେ।

ଏଥିରେ କାହାରି କୌଣସି କ୍ଷତି ହୋଇ ନଥିବା ବେଳେ ଶ୍ରୀ ବେହେରା ଜଣେ ନାବାଳକ ସମେତ ଅନ୍ୟ ୩ ଜଣ ଯୁବକଙ୍କୁ ଥାନାକୁ ନେଇ ଲକଡାଉନ ନିୟମକୁ ଉଲଙ୍ଘନ କରିଥିବା ଓ ପୁଲିସ ଉପରକୁ ପଥର ଫିଙ୍ଗିଥିବା ଅଭିଯୋଗରେ ଗିରଫ କରିଛି। ସେମାନେ ଲକ୍ଷ୍ମୀପଶି ଗ୍ରାମର ସରୋଜ କୁମାର ମହାନ୍ତ (୨୨) ଏବଂ ଦେବେନ୍ଦ୍ର ମହାନ୍ତ (୧୮) ରଂଜନ କୁମାର ମହାନ୍ତ (୨୦)। ତେବେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ନାବାଳକ ହୋଇଥିବାରୁ ୪୧ ସିଆରପିସିରେ ପୁଲିସ ଛାଡ଼ି ଦେଇଥିବା ବାରିଆ ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି।