ଟ୍ରାଫିକ ନିୟମ ଉପରେ ସଚେତନ କରୁଛି ପୁଲିସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ପୁଲିସ ଆଜି ନୂତନ ଟ୍ରାଫିକ ନିୟମକୁ ନେଇ ଲୋକଙ୍କୁ ସଚେତନତା କରିଛି। ଚାରି ଚକିଆ ଯାନ ତଥା ବାଇକ ଚାଳକଙ୍କ ନିମନ୍ତେ ନୂତନ ନିୟମ ଲାଗୁ ହେବା ପରେ ଏମଭି-୭୯ ଥାନା ପୁଲିସ ତରଫରୁ ଏକ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏମଭି-୭୯ ଥାନାର ଭାରପ୍ରାପ୍ତ ନିରୀକ୍ଷକ ଜନ କୁଜୁରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ମିଶି ଡାକବାଜି ଯନ୍ତ୍ର ଦ୍ୱାରା ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ସମ୍ପର୍କରେ ବୁଝାଇଛନ୍ତି। ଏଥିରେ ମୁଖ୍ୟତଃ ୪ ଚକିଆ ଯାନରେ ସିଟ ବେଲ୍ଟ ବାନ୍ଧିବା ସମେତ ଦୁଇ ଚାକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର, ମଦ ପିଇ ଗାଡ଼ି ନ ଚଳାଇବା ଓ ଗାଡ଼ି ଚାଳନା ସମୟରେ ସମସ୍ତ କାଗଜପତ୍ର ପାଖରେ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଆଇନ ଖିଲାପ କଲେ ସରକାରଙ୍କ ନିୟମ ଅନୁଯାୟୀ ଚାଲାଣ କଟାଯିବ ବୋଲି ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ କୁଜୁର ସଚେତନ କରିଛନ୍ତି।