ପୋଲାଭରମ ପ୍ରକଳ୍ପକୁ ନେଇ ତାତିଲା ପାପ୍ ସଂଗଠନ

  • ମାଲକାନଗିରି,ଏନଏନଏସ: ପୋଲଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛିବର୍ଷ ହେଲା କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତାମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ଆନ୍ଦୋଳନ ତେଜିଥିଲା। କିଛି ବର୍ଷର ନିରବତା ପରେ ପୁଣି ପୋଲଭରମ ଝଡ ନେତା ଓ ଜନତାଙ୍କ ମଧ୍ୟରେ ଦେଖାଦେଇଛି। ଆନ୍ଧ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁଠାରେ ପିପୁଲ୍ ଏଗନ୍ଷ୍ଟ ପୋଲାଭରମ ପ୍ରୋଜେକ୍ଟ ମଞ୍ଚ (ପାପ୍) ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ର ସରକାର ଓ କଂଗ୍ରେସ ବିରୋଧରେ ବିଷୋଦଗାର କରିଛନ୍ତି। ପାପ୍ ମଞ୍ଚର ସଭାପତି ପ୍ରଭାକର ହନ୍ତାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଇଛି।
    ପୋଲାଭରମ ପ୍ରକଳ୍ପ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ତତ୍କାଳୀନ କଂଗ୍ରେସ ଉପା ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ସେତେବେଳେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ମାଲକାନଗିରି ଜିଲ୍ଲାର କିଛି କ୍ଷତି ହେବ ନାହିଁ। ତାଙ୍କ ପଦବୀ ପଳାଇ ଗଲା ପରେ ପୁଣି ଗତ କିଛିଦିନ ପରେ ମୋଟୁ ଅଞ୍ଚଳ ଗସ୍ତ କରି ସେ ଗଣମାଧ୍ୟମକୁ କହିଥିଲେ ପୋଲାଭରମ ପଛୁଆ ଜଳ ଠେସିବା ଦ୍ୱାରା ମୋଟୁ ଅଞ୍ଚଳର ଅନେକ କ୍ଷତି ଘଟାଇବା ସହ ୨୦ଟି ଗ୍ରାମ ଜଳମଗ୍ନ ହୋଇଯିବ। ଏହା ତାଙ୍କର କଂଗ୍ରେସ ରାଜନୀତି କହି ସିଧାସଳଖଭାବେ ଶ୍ରୀ ମାଝୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ଆକ୍ଷେପ କରିଥିଲେ ଶ୍ରୀ ହନ୍ତାଳ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବା ସହିତ ମୋଟୁ ତହସିଲ୍ ଅଞ୍ଚଳ ମାନଚିତ୍ରରୁ ଲୀନ ହୋଇଯିବ। ଏଥିପାଇଁ ଆସନ୍ତା ୮ ତାରିଖ ବିଶ୍ୱ ଆଦିବାସୀ ଦିବସ ଅବସରେ ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ରାଜ୍ୟର ବାସିନ୍ଦା ଏକାଠି ହେବେ। ଏହି ୪ ରାଜ୍ୟବାସୀ ସୀମାନ୍ତ ମୋଟୁ ଅଞ୍ଚଳରେ ବିରାଟ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବା ପାଇଁ ଶ୍ରୀ ହନ୍ତାଳ ସୂଚନା ଦେଇଛନ୍ତି।