ବିଷାକ୍ତ ମଦ ନେଲା ମଣିଷ ଜୀବନ, ଘଟଣା ସମ୍ପର୍କରେ ତଦନ୍ତ କରୁଛି ପୁଲିସ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ଧରବଗଡ଼ ଗ୍ରାମ ସ୍ଥିତ ଖଣ୍ଡାଧୁଆ ଜୋରଠାର କଳାକାର ଷାଣ୍ଢ(୫୬)ଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ଗତ କାଲି ସକାଳ ଠାରୁ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ଏକ ଜନଶୂନ୍ୟ ସ୍ଥାନରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏ ସମ୍ପର୍କରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ମାଳ ଫାଣ୍ଡି ଅଧିକାରୀ କୁନୁ ସାହୁ ଉପସ୍ଥିତ ରହି ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି। ତେବେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି।

ତେବେ ମଦରୁ ଜୀବନ ଯାଇଥିବା ଆଲୋଚନା ହୋଇଛି। ପରିପାର୍ଶିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହା ଏକ ମଦ ମୃତ୍ୟୁ ମନେହୁଏ। କାରଣ ଏହାର ଠିକ ୧୫୦ ମିଟର ଦୁରତାରେ ଦେଶୀ ମଦର ବିରାଟ କାରଖାନା ରହିଛି। ଯାହାକି ସରକାରୀ ମଦଭାଟିଠାରୁ କୌଣସି ଗୁଣରେ କମ ନୁହେଁ। ଖୁଲମଖୁଲା ପ୍ରତିଦିନ ଶହଶହ କ୍ୱିଣ୍ଟାଲ ମହୁଲରୁ ମଦପ୍ରସ୍ତୁତ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ତଥା ପୁଲିସ ପ୍ରଶାସନର ଦୃଷ୍ଟି ନପଡିବା ଅସାଧୁ ବ୍ୟବସାୟୀ ଓ ପ୍ରଶାସନ ଭିତରେ ମଧୁ ଚନ୍ଦ୍ରିକା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ସଇଁନ୍ତଳା ଅଞ୍ଚଳରେ ବେଧଡକ ଭାବରେ ମଦ ବିକ୍ରି ହୋଉଥିବା ବେଳେ ପୁଲିସ ଅନେକ ଲୋକଙ୍କୁ ଚଢ଼ଉ କରି ଗିରଫ ମଧ୍ୟ କରୁଛି।