ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ: ଉପରାଷ୍ଟ୍ରପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ହେଉଛି ଏକ ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ, ସାହିତ୍ୟ, କଳା, ସଂଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓଖୁସି ଆଣିଥାଏ ବୋଲି ନିଜର ବକ୍ତବ୍ୟରେ ମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କୋୟା ନାଇଡୁ।

ରବିବାର କିଟ୍‍ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଥିଲେ ଯେ, ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଗାନ୍ଧୀ ସତ୍ୟ ଓ ଅହିଂସାର ଦୂତ ଥିଲେ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଏକ ପରିବାର। ଦିନ ଥିଲା ଭାରତ ବିଶ୍ୱଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖି ନାହିଁ। ବରଂ ପ୍ରଗତୀରେ ବିଶ୍ୱାସ କରି ଆସିଛି।

ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ମାତୃଭାଷା ଉପରେ ଜୋର ଦେଇଥିଲେ ଉପରାଷ୍ଟ୍ରପତି। ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ବୋଲି କହିଛନ୍ତି ଶ୍ରୀ ନାଇଡୁ। ଏପରିକି କବିତା ମାଧ୍ୟମରେ ସମାଜର ସୁଧାର ସମ୍ଭବ। କବିତା ଶାନ୍ତି ଏବଂ ସଦଭାବନାର ବାର୍ତ୍ତା ପ୍ରଦାନ କରିଥାଏ। ତେଣୁ ପିଲାମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ସହ ବିଶ୍ୱବିଦ୍ୟାଳୟସ୍ତରରେ କବିତା ଅଧ୍ୟୟନ ଉପରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀ ନାଇଡୁ। ବର୍ତ୍ତମାନର ସମୟରେ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାକୁ ଠିକ୍ ଭାବେ କହି ନପାରି ଅନ୍ୟ ଭାଷାକୁ ଭଲ ଭାବରେ କହିପାରୁଛନ୍ତି।

ତେବେ ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ଏବଂ ପରେ ଅନ୍ୟ ଭାଷା ଶିଖନ୍ତୁ ବୋଲି ସେ କହିଛନ୍ତି।
ଏହି ଅବସରରେ କିଟର ପ୍ରତିଷ୍ଠାତା କୂଳପତି ଅଚ୍ୟୁତ ସାମନ୍ତଙ୍କୁ ବିଶ୍ୱ କବି ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‍ଡେନ୍‍ ଗ୍ୟାବେଲ୍‍’ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଶାନ୍ତନୁ ଆଚାର୍ଯ୍ୟ, କବି ଓ ଲେଖକ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଅଫ୍‍ ଲିଟରେଚର ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ଯୁବ ଲେଖିକା ଅନାନ୍ତିନୀ ମିଶ୍ରଙ୍କୁ ତାଙ୍କ ପୁସ୍ତକ ‘ଟ୍ରେଜର୍‍ ଅଫ୍‍ ଶର୍ଟ ଷ୍ଟୋରିଜ୍‍’ ଏବଂ ଆତ୍ମିକା ପଟ୍ଟନାୟକଙ୍କ ତାଙ୍କ ପୁସ୍ତକ ‘ଜର୍ଣ୍ଣି ଅଫ୍‍ ଥାଉଜେଣ୍ଡ ମାଇଲ୍‍ସ’ ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।