ଶାହିନବାଗ ଆନ୍ଦୋଳନ ଏକ ଷଡ଼ଯନ୍ତ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଦିଲ୍ଲୀର ଶାହିନବାଗ ଏବଂ ଜାମିଆ ମିଲିଆରେ ଚାଲିଥିବା ଆନ୍ଦୋଳନ ଏକ ଷଡ଼ଯନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ମୋଦୀ ସୋମବାର ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଦେଶକୁ ଭାଗ ଭାଗ କରିବା ଏବଂ ଦେଶର ସଦ୍ଭାବ ଓ ସଂହତି ନଷ୍ଟ କରିବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ। ମୋଦୀ ଦିଲ୍ଲୀର କର୍କରଦୁମାରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ଏହି ଆନ୍ଦୋଳନ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଗତ କିଛିଦିନ ହେଲା ସେଲମପୁର, ଜାମିଆ ଓ ଶାହିନବାଗରେ ସିଏଏକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି।

ମୋଦୀ କହିଲେ, ଶାହିନବାଗ ଓ ଦେଶର ଅନ୍ୟାନ୍ୟ ଭାଗରେ ଜନସାଧାରଣ ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ମାତ୍ର ବିଭିନ୍ନ ମନ୍ତ୍ରୀ ସିଏଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତେ୍ୱ ଆନ୍ଦୋଳନ ଚାଲିଛି। ଏଥିରୁ ଏହା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ସ୍ପଷ୍ଟ ହୋଇଯାଉଛି। ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ସିଏଏକୁ ବିରୋଧ କରିବା ପାଇଁ ଲୋକଙ୍କୁ ଉସୁକାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ପଛରେ ରହିଥିବା ଷଡ଼ଯନ୍ତ୍ର ଉପରୁ ନଜର ହଟାଇବା ପାଇଁ ସମ୍ମୁଖରେ ସମ୍ବିଧାନ ଓ ତ୍ରିରଙ୍ଗା ରଖାଯାଇ ଆନ୍ଦୋଳନ ଚାଲିଛି।

ରାଲିକୁ ସମ୍ବୋଧନ କରିବା ଅବସରରେ ମୋଦୀ କହିଥିଲେ, ଦିଲ୍ଲୀରେ ବିଜେପି ସରକାରକୁ ଆସିଲେ ବେଆଇନ୍ ଭାବେ ଗଢ଼ି ଉଠିଥିବା ବସ୍ତି ବାସିନ୍ଦାଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇଦେବା ଲାଗି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସଂକଳ୍ପବଦ୍ଧ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି, ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରୁଛନ୍ତି। ଦିଲ୍ଲୀରେ ଯେପର୍ଯ୍ୟନ୍ତ ଏହି ସରକାର ରହିଥିବ ସେମାନେ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକରେ ବାଧା ଦେଇ ଚାଲିଥିବେ। ସେମାନେ ରାଜନୀତି କରିବା ଛଡ଼ା ଅନ୍ୟକିଛି ଜାଣନ୍ତି ନାହିଁ। ଦିଲ୍ଲୀ ଜନସାଧାରଣଙ୍କ ଭୋଟ୍ ଦେଶରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିଲା। ଏବେ ଦିଲ୍ଲୀ ଜନସାଧାରଣଙ୍କ ଭୋଟ୍ ଦିଲ୍ଲୀର ଆଧୁନିକୀକରଣରେ ସହାୟକ ହେବ ବୋଲି ମୋଦୀ ଆଶା ପ୍ରକାଶ କରିଥିଲେ।