ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ଅଭୂତପୂର୍ବ ଏବଂ ଐତିହାସିକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ମୋଦି କହିଛନ୍ତି ଯେ ଭାରତ – ଆମେରିକା ସମ୍ପର୍କ, ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ମଧ୍ୟରୁ ଅନ୍ୟତମ । ତେଣୁ ସେଥିପାଇଁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ ବିସ୍ତୃତ ବୈଶ୍ୱିକ ରଣନୈତିକ ଭାଗିଦାରୀ ସ୍ତରକୁ ନେଇଯିବା ଲାଗି ନିଷ୍ପତି ନେଇଛୁ । ସମ୍ପର୍କକୁ ଏହି ସୋପାନ ପର୍ୟ୍ୟନ୍ତ ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅମୂଲ୍ୟ ଯୋଗଦାନ ରହିଛି ।

ଆଜି ଆମର ଆଲୋଚନାରେ ଆମେ ଏହି ଭାଗିଦାରୀର ପ୍ରତ୍ୟେକ ଦିଗ ଉପରେ ସକାରାତ୍ମକ ବିଚାର ବିନିମୟ କଲୁ- ତାହା ପ୍ରତିରକ୍ଷା ଓ ସୁରକ୍ଷା ହେଉ, ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ହେଉ, ପ୍ରଯୁକ୍ତି ସହଯୋଗ ହେଉ, ବୈଶ୍ୱିକ ଯୋଗାଯୋଗା ହେଉ, ବାଣିଜ୍ୟ ସମ୍ପର୍କ ହେଉ କିମ୍ବା ନାଗରିକ ସମ୍ପର୍କ । ଭାରତ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆମ ରଣନୈତିକ ଭାଗିଦାରୀର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ତଥା ମଂଚରେ ସହଯୋଗ ଫଳରେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ନିର୍ମାତାମାନେ ପରସ୍ପର ଯୋଗାଣ ଶୃଙ୍ଖଳାର ଅଂଶବିଶେଷ ପାଲଟୁଛନ୍ତି । ଭାରତୀୟ ସେନାବାହିନୀ ଆଜି ସବୁଠୁ ଅଧିକ ସମରାଭ୍ୟାସ ଆମେରିକା ସେନା ସହିତ କରୁଛି । ଗତ କିଛି ବର୍ଷ ମଧ୍ୟରେ, ଆମ ସେନା ମଧ୍ୟରେ ଆନ୍ତଃପରିଚାଳନାରେ ଅଭୂତପୂର୍ବ ବୃଦ୍ଧି ହୋଇଛି ।

ସେହିପରି ଆମେ ଆମ ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଅପରାଧ ସହ ମୁକାବିଲା ଲାଗି ମଧ୍ୟ ସହଯୋଗ ବୃଦ୍ଧି କରୁଛୁ । ଆଜି ଦେଶର ଅନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିଆଯାଇଥିବା ନିର୍ଣ୍ଣୟ ଫଳରେ ଏହି ସହଯୋଗ ଆହୁରି ବୃଦ୍ଧି ପାଇବ । ଆତଙ୍କବାଦର ସମର୍ଥନକାରୀମାନଙ୍କୁ ଉତରଦାୟୀ କରିବା ଲାଗି ଆଜି ଆମେ ଆମ ପ୍ରୟାସକୁ ଆହୁରି ବୃଦ୍ଧି କରିବା ଲାଗି ନିଷ୍ପତି ନେଇଛୁ । ଡ୍ରଗ୍ସ ଏବଂ ଅଫିମ କାରବାର ବିରୋଧରେ ଲଢେ଼ଇକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି । ଆଜି ଆମ ମଧ୍ୟରେ ନିଶାଦ୍ରବ୍ୟ କାରବାର, ନାର୍କୋ-ଟେରୋରିଜିମ (ନିଶାଔଷଧ ଆତଙ୍କବାଦ) ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟା ବିଷୟରେ ଏକ ନୂତନ ବ୍ୟବସ୍ଥା ଉପରେ ମଧ୍ୟ ସହମତି ହୋଇଛି ।କିଛିଦିନ ପୂର୍ବରୁ ପ୍ରତିଷ୍ଠିତ ଆମର ରଣନୈତିକ ଭାଗିଦାରୀ ସୁଦୃଢ଼ ହୋଇଚାଲିଛି।

ଆହୁରି ଏହି କ୍ଷେତ୍ରରେ ଆପୋସ ନିବେଶ ବୃଦ୍ଧି ପାଇଛି । ତୈଳ ଏବଂ ଗ୍ୟାସ ଲାଗି ଆମେରିକା ଭାରତର ବହୁତ ବଡ଼ ଉତ୍ସରେ ପରିଣତ ହୋଇଛି । ଗତ ଚାରି ବର୍ଷ ମଧ୍ୟରେ ଆମର ମୋଟ ଶକ୍ତି କାରବାର ପାଖାପାଖି ୨୦ ବିଲିୟନ ଡଲାର ରହିଥିଲା । ଅକ୍ଷୟଶକ୍ତି ହେଉ କିମ୍ବା ପରମାଣୁ ଶକ୍ତି, ଆମର ସହଯୋଗକୁ ନୂତନ ଇନ୍ଧନ ମିଳୁଛି । ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏକବିଂଶ ଶତାବ୍ଦୀର ଅନ୍ୟ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତ-ଆମେରିକା ଭାଗିଦାରୀ, ନବୋନ୍ମେଷ ଏବଂ ଉଦ୍ୟମିତାର ନୂତନ ସୋପାନରେ ପହଁଚିଛି ।

ଶକ୍ତି, ବେସାମରିକ ବିମାନ, ପ୍ରତିରକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଦେଖିବା ତ ଗତ ଚାରି ପାଂଚ ବର୍ଷ ମଧ୍ୟରେ କେବଳ ଏହି ଚାରିଟି କ୍ଷେତ୍ର ହିଁ ଭାରତ-ଆମେରିକା ଆର୍ଥିକ ସମ୍ପର୍କରେ ୭୦ ବିଲିୟନ ଡଲାରର ଯୋଗଦାନ ଦେଇଛନ୍ତି । ଏଥିମଧ୍ୟରୁ ଅନେକ କିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତି କାରଣରୁ ସମ୍ଭବ ହୋଇପାରିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ଦିନରେ ଏହି ତଥା ଯଥେଷ୍ଟ ବୃଦ୍ଧି ପାଇବ । ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ସହମତ ଯେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ବୁଝାମଣା ସୃଷ୍ଟି ହୋଇଛି ତା’କୁ ଆମର ଟିମ ଆଇନଗତ ରୂପ ଦେଉ । ଆମେ ଏକ ବଡ଼ ବାଣିଜ୍ୟ ଚୁକ୍ତି ଲାଗି ଆଲୋଚନା ଆରମ୍ଭ କରିବା ଲାଗି ସହମତ ହୋଇଛୁ । ଆମର ଆଶା ଯେ ଆପୋସ ହିତରେ ଏହାର ଉତମ ପରିଣାମ ମିଳିବ ।

ବିଶ୍ୱସ୍ତରରେ ଭାରତ ଏବଂ ଆମେରିକାର ସହଯୋଗ ଆମର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଦେ୍ଧଶ୍ୟ ଉପରେ ଆଧାରିତ । ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପରିଦୃଶ୍ୟରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ଏହି ସହଯୋଗ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆମର ଦୁଇ ଦେଶ ଯୋଗାଯୋଗ ଭିତିଭୂମି ବିକାଶରେ ସ୍ଥାୟୀ ଏବଂ ପାରଦର୍ଶୀ ପାଣ୍ଠି ଯୋଗାଣର ମହତ୍ୱ ଉପରେ ସହମତ ହୋଇଛୁ । ଆମର ଏହି ଆପୋସ ତାଳମେଳ କେବଳ ପରସ୍ପର ପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ କଲ୍ୟାଣକାରୀ ।

ଭାରତ ଏବଂ ଆମେରିକାର ଏହି ସ୍ୱତନ୍ତ୍ର ବନ୍ଧୁତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ । ପେସାଦାର ହୁଅନ୍ତୁ ଅବା ଛାତ୍ରଛାତ୍ରୀ, ଆମେରିକାରେ ପ୍ରବାସୀ ଭାରତୀୟଙ୍କ ଏ ଦିଗରେ ସବୁଠୁ ବଡ଼ ଯୋଗଦାନ ରହିଛି । ଭାରତର ଏହି ରାଷ୍ଟ୍ରଦୂତମାନେ କେବଳ ନିଜ ପ୍ରତିଭା ଏବଂ ପରିଶ୍ରମ ବଳରେ ଆମେରିକାର ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଉନାହାନ୍ତି, ବରଂ ନିଜ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମୃଦ୍ଧ ସଂସ୍କୃତି ଦ୍ୱାରା ଆମେରିକୀୟ ସମାଜକୁ ମଧ୍ୟ ସମୃଦ୍ଧ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଛି ଯେ ଆମର ପେସାଦାରଙ୍କ ସାମାଜିକ-ସୁରକ୍ଷା ଯୋଗାଦାନର ଟୋଟାଲାଇଜେସନ ରାଜିନାମା ଉପରେ ଆଲୋଚନାକୁ ଉଭୟ ପକ୍ଷ ଆଗକୁ ନିଅନ୍ତୁ । ଏହା ପରସ୍ପର ପାଇଁ ଲାଭଦାୟକ ହେବ ।