ପାକିସ୍ତାନରେ ଚୀନ ନାଗରିକଙ୍କୁ ମିଳିବ କଡ଼ ସୁରକ୍ଷା: ଶହବାଜ୍ ଶରୀଫ

ଇସଲାମାବଦାଦ,ଏଜେନ୍ସି: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫ ଚୀନ-ପାକିସ୍ତାନ ଆର୍ଥିକ କରିଡର ପ୍ରକଳ୍ପ ଉପରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷା ବଢ଼ାଇବାକୁ ମଙ୍ଗଳବାର ଆଦେଶ ଦେଇଛନ୍ତି। ଆଦେଶ ଜାରି ହେବାର ଦିନକ ପୂର୍ବରୁ ଶହବାଜ ଚୀନ ପ୍ରଧାନମନନ୍ରୀ ଲୀ କ୍ୱିଙ୍ଗ୍ ସହିତ ଟେଲିଫୋନ୍‌ରେ କଥାବାର୍ତ୍ତା କରିଥିଲେ। ଏହି ଆଲୋଚନା ସମୟରେ ସେ ଅନ୍ୟ ପ୍ରସଙ୍ଗ ବ୍ୟତୀତ ପାକିସ୍ତାନରେ ଚୀନ ନାଗରିକଙ୍କ ସୁରକ୍ଷା ନେଇ କଥାବାର୍ତ୍ତା କରିଥିଲେ।

ଏକ ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ସନାଉଲ୍ଲାହ, ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଓ ଅନ୍ୟ ବରିଷ୍ଠ ଅଧିାକରୀମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଚୀନ ନାଗରିକଙ୍କ ସୁରକ୍ଷାରେ କୌଣସି ଢିଲା ପଣ କରାଯିବ ନାହିଁ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ଶହବାଜ ଚୀନ ନାଗରିକଙ୍କ ପାଇଁ କଡ଼ା ସୁରକ୍ଷଶ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି।

ପୋଲିସର ବୟାନ ଅନୁସାରେ ସୋମବାର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ଏକ ଆତ୍ମଘାତୀ ଆକ୍ରମଣକାରୀକୁ ଗିରଫ କରାଯାଇଥିଲା। ସଂପୃକ୍ତ ବ୍ୟକ୍ତି ସିପିଆଇସି ସହିତ ଜଡ଼ିତ ଜଣେ ଚୀନ ନାଗରିକଙ୍କ ଏକ କାର୍ଯ୍ୟାଳୟ ପାଖରେ ନିଜକୁ ଉଡାଇବାକୁ ଷଡ଼ଯନ୍ତ୍ର ରଚିଥିଲା। ଶହବାଜ ପ୍ରଧାନମନ୍ତ୍ରୀ ଲୀଙ୍କୁ କହିଛନ୍ତି ଯେ, ତାଙ୍କର ସରକାର ପାକିସ୍ତାନରେ କାମ କରୁଥିବା ସମସ୍ତ ଚୀନ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବ। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେବ।