ନୂଆଦିଲ୍ଲୀ,ଏଜେନ୍ସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନଲକ-୨ ସମ୍ବନ୍ଧରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ, ଯଦି ଆମେ ସାରାବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁହାର ବିଚାରକୁ ନେବା ତେବେ ଭାରତରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଠିକ୍ ସମୟରେ ଲକଡାଉନ ଭଳି ପଦକ୍ଷେପ ଯୋଗୁ ଦେଶରେ ବହୁ ଅମୁଲ୍ୟ ଜୀବନ ରକ୍ଷା କରାଯାଇପାରିଛି। ସେ କହିଛନ୍ତି ଯେ, ଆମେ ଲକଡାଉନ କାଳରେ ସମସ୍ତ ନିୟମ ଅତ୍ୟନ୍ତ ଗମ୍ଭୀରତାର ସହ ପାଳନକଲେ ଏବଂ ପୁଣି ଥରେ ଆମକୁ ସେହିଭଳି ସାହସ ଓ ଦୃଢ଼ତା ଦେଖାଇବାକୁ ପଡିବ। ସେ କହିଛନ୍ତି ଯେ, ଦେଶରେ ଲକଡାଉନ ଶେଷ ହେବାବେଳକୁ ଜନସାଧାରଣ ପୂର୍ବଭଳି ସତର୍କତା ଅବଲମ୍ବନ କରୁନାହାଁନ୍ତି, ଅନଲକ ୧ ଆରମ୍ଭ ହେବା ବେଳକୁ ଦେଶରେ ବ୍ୟକ୍ତିଗତ ଓ ସାମାଜିକ ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖାଦେଇଛି ଏବଂ ଲୋକମାନେ ବେଳକୁ ବେଳ ଅଧିକ ସାବଧାନ ହେଉନାହାଁନ୍ତି। ପ୍ରଥମେ ଆମେ ଯେଭଳି ମାସ୍କର ବ୍ୟବହାର ଓ ଦିନକୁ ଅନେକ ଥର ହାତ ଧୋଇବା ଏବଂ ସାମାଜିକ ଦୂରତା ମାନିବା ଭଳି କାର୍ଯ୍ୟ ଅତି ସତର୍କତାର ସହ କରୁଥିଲେ, ଏବେ ସେହି ସତର୍କତାକୁ ଦୋହରାଇବାକୁ ପଡ଼ିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଆମେ ହାଲକା ଭାବରେ ନେବା ଉଚିତ ନୁହେଁ, ଆମକୁ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ବିଶେଷକରି କଣ୍ଟେନମେଣ୍ଟ ଜୋନରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ନିୟମ ପାଳନ ପାଇଁ ପ୍ରବର୍ତ୍ତାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଯେଭଳି କୌଣସି ଗରିବ ଭାଇ ଭଉଣୀ ଓପାସ ନ ରହନ୍ତି। ସେ କହିଛନ୍ତି, ଦେଶ ହେଉ କି ନାଗରିକ, ଉଚିତ ସମୟରେ ନିଷ୍ପତ୍ତି ନେଇପାରିଲେ, ସମ୍ବେଦନଶୀଳ ହୋଇପାରିଲେ ଆମେ ଯେ କୌଣସି ସଙ୍କଟର ମୁକାବିଲା କରିପାରିବା। ତେଣୁ ଲକଡାଉନ ଆରମ୍ଭ ହେବା ମାତ୍ରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରିଥିଲେ। ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରର ଜନଧନ ଆକାଉଣ୍ଟରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି। ଏହି ସମୟ ମଧ୍ୟରେ ନଅ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଜମା କରାଯାଇଛି। ଏହାସହିତ ଦେଶରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ ଚାଲିଛି। ଯେଉଁମାନେ ନିଜ ପରିବାର ପାଇଁ ଗାଁ ଛାଡି ଅନ୍ୟତ୍ର ଯାଉଛନ୍ତି, ସେମାନେ ଏହାର ଲାଭ ପାଇବେ।