ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ପର୍ବର ଉଦଘାଟନୀ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ଏଥିସହିତ ଶିକ୍ଷକଙ୍କ ପାଇଁ ଅନେକ ଯୋଜନାର ଶୁଭାରମ୍ଭ କରିବା ସହ ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି କୋଭିଡ ମହାମାରୀ ସମୟରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କରୋନା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ହୋଇଯାଇଥିବା ବେଳେ ଅନଲାଇନ କ୍ଲାସ, ଅନଲାଇନ ପରୀକ୍ଷା ସହ ଗ୍ରୁପ୍ ଭିଡିଓ କଲ ଜରିଆରେ ପାଠପଢ଼ା ଜାରି ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏଥିସହିତ ମୋଦୀ କହିଛନ୍ତି କି ଆମ ଶିକ୍ଷକମାନେ ନିଜ କାମକୁ କେବଳ କାମ ଭାବି ନାହାନ୍ତି, ବରଂ ଶିକ୍ଷକତା ସହିତ ତାଙ୍କର ଏକ ଭାବାତ୍ମକ ସମ୍ପର୍କ ଥିବା ପ୍ରମାଣ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାଞ୍ଜଳୀ ୨.୦, ନିଷ୍ଠା ୩.୦, ଟକିଂ ବୁକ୍ସ ଓ ୟୁଏଲଡି ଆଧାରିତ ଆଇଏସଏଲ ଶବ୍ଦ କୋଷ(ଡିକ୍ସନାରୀ) ଭଳି ନୂଆ କାର୍ଯ୍ୟକ୍ରମ ଓ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେହିପରି ଦେଶରେ ଯେପରି ୩ ବର୍ଷର ପିଲାମାନଙ୍କ ପାଇଁ ପ୍ରି-ସ୍କୁଲିଂକୁ ବାଧ୍ୟତାମୂଳକ କରିବା ସେ ନେଇ ଜରୁରୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଏହି ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟୋକିଓ ଅଲମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦେଶରୁ ଭାଗ ନେଇଥିବା ଖେଳାଳିଙ୍କ କଥା କହିଥିଲେ। ସେ କହିଛନ୍ତି କି ଆମ ଖେଳାଳି ଆନ୍ତର୍ଜାତୀୟ ସ୍ତରରେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ଏନେଇ ମୁଁ ତାଙ୍କୁ ଅନୁରୋଧ କରିଛି କି ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରତ୍ୟେକ ଖେଳାଳି ଅତି କମରେ ୭୫ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟନ୍ତୁ। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଖେଳରେ ଆଗକୁ ବଢ଼ିବାରେ ପ୍ରୋତ୍ସାହିତ ମିଳିବ।