କରୋନା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହିତ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ପୁଣି ଥରେ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ବୈଠକରେ ଯୋଗଦେବା ପାଇଁ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କରୋନାର ସ୍ଥିତିକୁ ନେଇ ସମୀକ୍ଷା କରିବେ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମୋଦୀଙ୍କ ଏହି ବୈଠକ ଅପରାହ୍ନ ୧୨ଟାରେ ଆରମ୍ଭ ହେବ ।

କରୋନାର ୪ର୍ଥ ଲହର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ହେଉଛି । କରୋନା ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଅର୍ଥାତ ୨୦୨୦ ମାର୍ଚ୍ଚ ମାସ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ସଂକ୍ରମଣ ଉପରେ ନଜର ରଖିଛନ୍ତି ଏବଂ ମଝିରେ ମଝିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରି ଦେଶର ସ୍ଥିତି ଉପରେ ଆଲୋଚନା କରୁଛନ୍ତି । ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଓ ତାଙ୍କର ମନ୍ତ୍ରାଳୟ ସଂବନ୍ଧିତ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇପାରନ୍ତି । ଆଶା କରାଯାଉଛି ଯେ, ଏହି ବୈଠକରେ ଦେଶବ୍ୟାପୀ ବୁଷ୍ଟର ଡୋଜକୁ ମାଗଣାରେ ଦିଆଯିବା ପ୍ରସ୍ତାବ ମଧ୍ୟ ଜାରି ହୋଇପାରେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।