ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ଉତ୍ତରପ୍ରଦେଶ ଗସ୍ତ, ଶୁଭାରମ୍ଭ କରିବେ ସର୍ବବୃହତ୍ତ ସ୍ୱାସ୍ଥ୍ୟ ଯୋଜନା

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି। ମୋଦୀ ଆଜି ସିଦ୍ଧାର୍ଥନଗର ଓ ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥି ସହିତ ସେ ପିଏମ୍‌ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିବେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପୂର୍ବାହ୍ନ ୯ଟା ୪୦ରେ ଗୋରଖପୁର ବିମାନବନ୍ଦର ପହଞ୍ଚିବେ। ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ୧୦ଟା ୩୦ରେ ସଡ଼କ ମାର୍ଗରେ ବିଏସଏ ଗ୍ରାଉଣ୍ଡ ଯିବେ। ସେଠାରେ ସେ ୯ଟି ମେଡିକାଲ କଲେଜ ଉଦ୍‌ଘାଟନ ସହ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ମୋଦୀ ଅପରାହ୍ଣ ୧୨ଟା ୨୫ରେ ବାରାଣସୀ ଅଭିମୁଖେ ବାହାରିବେ। ବାରାଣସୀରେ ମୋଦୀ ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ମିଶନ ଯୋଜନାର ଶୁଭାରମ୍ଭ କରିବେ। ବାରାଣସୀକୁ ୫୨୦୦ କୋଟି ଟଙ୍କାର ଉପହାର ମିଳିବ।

ସୂଚନାଯୋଗ୍ୟ, ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାକୁ ସର୍ବବୃହତ୍ତ ହାଇଲାଇଟ କୁହାଯାଉଛି। ସରକାରଙ୍କ ସୂଚନା ଅନୁସାରେ ଏହି ସର୍ବବୃହତ୍ତ ଯୋଜନା ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ଏହି ଯୋଜନା ଅନୁସାରେ ସରକାର ୫ ବର୍ଷରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଯୋଜନାର ଉଦ୍ଦେଶ୍ୟ ଯେ ମହାମାରୀ ସମୟରେ ଦେଶ ମଜଭୁତ ଭାବରେ ଏହା ସହିତ ଲଢ଼େଇ କରିପାରିବ। ଉଦ୍ୟମ ରହିବ ଯେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରାଯିବ। ସେହିପରି ୫ ଲକ୍ଷରୁ ଅଧିକ ଲୋକ ଥିବା ଜିଲ୍ଲାରେ କ୍ରିଟିକାଲ କେୟାର ସୁବିଧା କରାଯିବ। ସମସ୍ତ ଜିଲ୍ଲାରେ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ ଲ୍ୟାବ କରାଯିବ। କୁହାଯାଉଛି ଯେ, ମୋଦୀ ଯେତେ‌ବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ। ହେଲ୍‌ଥକେୟାର କର୍ମୀଙ୍କ ବ୍ୟତୀତ ପିଏଚ୍‌ସି ଓ ସିଏଚ୍‌ସି ଉପସ୍ଥିତ ରହିବେ।