ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ପରିମାଣ ୩.୦୭ କୋଟି ଟଙ୍କା ବୋଲି ଜଣାପଡିଛି। ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିଗତ ବର୍ଷ ତୁଳନାରେ ସମ୍ପତ୍ତି ପରିମାଣ ୨୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଗତବର୍ଷ ମୋଦୀଙ୍କ ସମ୍ପତ୍ତି ପରିମାଣ ୨.୮୫ କୋଟି ଟଙ୍କା ରହିଥିଲା। ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ମୋଦୀଙ୍କ ନାମରେ ଗାନ୍ଧୀନଗର ଷ୍ଟେଟ୍ବ୍ୟାଙ୍କରେ ୧.୮୬ କୋଟିର ସ୍ଥାୟୀ ଜମା ରହିଛି। ଏହାବ୍ୟତୀତ ତାଙ୍କର ୧.୪୮ ଲକ୍ଷ ଟଙ୍କା ମୂଲ୍ୟର ୪ଟି ସୁନା ମୁଦି ଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ୧.୫ ଲକ୍ଷ ଓ ହାତରେ ନଗଦ ୩୬,୦୦୦ ଟଙ୍କା ରହିଛି।
ତାଙ୍କ ନାମରେ ୮.୯ ଲକ୍ଷ ଟଙ୍କାର ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ ଥିବାବେଳେ ୧.୫ ଲକ୍ଷ ଟଙ୍କାର ଜୀବନବୀମା ପଲିସି ରହିଛି। ଏହାବ୍ୟତୀତ ସେ ଏଲ ଆଣ୍ଡ୍ ଟି କମ୍ପାନୀରେ ୨୦ ହଜାର ଟଙ୍କାର ବଣ୍ଡ୍ କିଣିଛନ୍ତି। ମୋଦୀଙ୍କର ନିଜସ୍ୱ ଗାଡି ନଥିବାବେଳେ ୨୦୦୨ରେ କିଣିଥିବା ଅଟ୍ଟାଳିକାର ମୂଲ୍ୟ ୧.୧ କୋଟି ଟଙ୍କା। ୧୪,୧୨୫ ବର୍ଗଫୁଟ ଜମିରେ ନିର୍ମିତ ଏହି ଅଟ୍ଟାଳିକାର ମାଲିକାନା ସ୍ୱତ୍ୱ ଚାରି ଜଣଙ୍କ ନିକଟରେ ଥିବାବେଳେ ମୋଦୀଙ୍କ ଅଂଶଧନ ୨୫ ପ୍ରତିଶତ ବୋଲି କୁହାଯାଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାପରଠାରୁ ମୋଦୀ କୌଣସି ଜମିବାଡି କିଣିନାହାନ୍ତି। ଅନ୍ୟ ମନ୍ତ୍ରୀଙ୍କ ଭଳି ମୋଦୀ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରିନାହାନ୍ତି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ୱେବ୍ସାଇଟରେ ଏହି ସମ୍ପତ୍ତିର ତାଲିକା ଅପ୍ଲୋଡ କରାଯାଇଛି।