ଆଇପିଏସ୍ ଟ୍ରେନିଙ୍କ ସହ ମୋଦୀଙ୍କ ଆଲୋଚନା

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ‘ସରଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀ’ ହାଇଦ୍ରାବାଦରେ ଉପସ୍ଥିତ ଆଇପିଏସ୍ ଟ୍ରେନିଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, ପୁଲିସ ପାଇଁ ଫିଟ୍ ରହିବା ନିହାତି ଜରୁରୀ। ଗତ ୭୫ ବର୍ଷରେ ଭାରତ ଏକ ପ୍ରଭାବୀ ପୁଲିସ ସେବାର ନିର୍ମାଣ କରିଛି। ପୁଲିସ ଟ୍ରେନିଂ ସହ ଜଡ଼ିତ ଭିତ୍ତିଭୂମିରେ ମଧ୍ୟ ଭାରତ ଉନ୍ନତି ଆଣିଛି। ବର୍ତ୍ତମାନ ସମୟରେ ଆର୍ଥିକ ଠକେଇ ଏବ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଆଉ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, କରୋନା ଲଢ଼େଇରେ ଦେଶବାସୀଙ୍କ ସହ ପୁଲିସ କାନ୍ଧକୁ କାନ୍ଧ ମିଶାଇ କାମ କରିଛି। ଏହି ସମୟରେ ଅନେକ ପୁଲିସଙ୍କୁ ନିଜ ପ୍ରାଣବଳି ମଧ୍ୟ ଦେବାକୁ ପଡ଼ିଛି। ମୁଁ ସେମାନଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇବା ସହ ଦେଶ ତରଫରୁ ସେମାନଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକଟ କରୁଛି। ବିଗତ ଦିନରେ ପୁଲିସ ସେବାରେ ଝିଅଙ୍କ ସଂଖ୍ୟା ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି। ଆମ ଝିଅ ପୁଲିସ ସେବାରେ ଦକ୍ଷତା ଓ ଦାୟିତ୍ୱବୋଧତା ସହ ବିନମ୍ରତା ଓ ସମ୍ବେଦନଶୀଳତାର ମୂଲ୍ୟକୁ ସଶକ୍ତ କରିଛନ୍ତି।

ଏନଡିଆରଫର ପ୍ରଶଂସା କରିବାକୁ ଯାଇ ମୋଦୀ କହିଛନ୍ତି ଯେ, ବିପର୍ଯ୍ୟୟ ବେଳେ ଏନଡିଆରଏଫର ନାଁ ଶୁଣିଲେ ଲୋକଙ୍କ ବିଶ୍ୱାସ ବଢ଼ୁଛି। ପୁଲିସ ପ୍ରତି ଲୋକଙ୍କ ନକରାତ୍ମକ ଚିନ୍ତାଧାରା ଏନଡିଆରଏଫ୍ ଦୂର କରିପାରିଛି। ପୁଲିସ ବି ଲୋକଙ୍କ ସେବା କରିପାରେ ସେ ବିଶ୍ୱାସ ଏନଡିଆରଏଫ୍ ଦେଇଛି।