ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋତାବାୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ଗୋତାବାୟା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ରାଜଘାଟ ଠାରେ ଥିବା ମହାତ୍ମାଗାନ୍ଦୀଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେହିପରି ଗୋତାବାୟା ଏବଂ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଆଲୋଚନା ବେଳେ ୨ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ ସହିତ ଏକାଧିକ ଦ୍ୱିପାକ୍ଷୀକ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଗୋତାବାୟା ରାଜପକ୍ଷେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କ ପ୍ରଥମ ବିଦେଶ ଯାତ୍ରାରେ ୩ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେ ଆସି ପହଞ୍ଚିଛନ୍ତି। ରାଜପକ୍ଷେଙ୍କ ସଚିବ ପି.ବି. ଜୟସୁନ୍ଦର ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପରାମର୍ଶଦାତା ଲଳିତ ବୀରତୁଙ୍ଗା ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଭାରତ ଗସ୍ତରେ ଆସିଛନ୍ତି।