ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯାଉଛନ୍ତି। ତାଙ୍କର ନେପାଳ ସମକକ୍ଷ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣରେ ସେ ଲୁମ୍ବିନୀ ଯାତ୍ରା କରିବେ। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯାତ୍ରାର ଉଦ୍ଦେଶ୍ୟ ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା। ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜଭୁତ। ମୋର ଏହି ଯାତ୍ରାର ଉଦ୍ଦେଶ୍ୟ ଏହି ସଂପର୍କକୁ ଉତ୍ସବ ଭାବେ ପାଳନ କରିବା ଓ ଏହାକୁ ଅଧିକ ମଜବୁତ କରିବ। ଏହି ସଂପର୍କ ଅନେକ ଦଶକ-ଅନେକ ଶତାଦ୍ଦୀ ପୂର୍ବରୁ ସ୍ଥାପିତ ହୋଇସାରିଛି।
ନେପାଳ ଗସ୍ତରେ ମୋଦୀ ବୁଦ୍ଧ ଜୟନ୍ତୀ ଅବସରରେ ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏଥି ସହିତ ନେପାଳ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଲୁମ୍ବିନୀସ୍ଥିତ ମାୟା ଦେବୀ ମନ୍ଦିର ଏକ ଆଧ୍ୟାତ୍ମିକ କ୍ଷେତ୍ର। ଏଠାରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା। ପ୍ରଧାନମନ୍ତ୍ରୀ ଅଶୋକ ସ୍ତମ୍ଭ ସାମ୍ନାରେ ଦୀପ ଜାଳିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ନିଜ ନେପାଳ ସମକକ୍ଷଙ୍କ ସହିତ ବିଭିନ୍ନ ବିକାଶ ପ୍ରସଙ୍ଗରେ ଚର୍ଚ୍ଚା କରିବେ।