ଆଜି ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ଆଜି ଭର୍ଚ୍ଚୁଆଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଅଧ୍ୟକ୍ଷତା କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଶିଖର ସମ୍ମିଳନୀରେ ପାକିସ୍ତାନ ଓ ଚୀନ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଉଭୟ ଦେଶର ରାଷ୍ଟ୍ରମୁଖ୍ଯ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେଉଛନ୍ତି । ଏହି ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ନେଇ ମସ୍କୋ ପକ୍ଷରୁ ସୂଚନା ମିଳିଛି । ଏହି ଶିଖର ସମ୍ମିଳନୀରେ ଆତଙ୍କବାଦ, ଆଞ୍ଚଳିକ ସୁରକ୍ଷା ଓ ସମୃଦ୍ଧି ପ୍ରସଙ୍ଗ ଆଲୋଚନାର ମୁଖ୍ୟାଂଶ ଭାବେ ସ୍ଥାନ ପାଇବ । ଏହି ସଂଘାଇ ସହଯୋଗ ସଂଗଠନ (ଏସସିଓ) ରେ ସମସ୍ତ ସଦସ୍ୟ ଦେଶ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଅନ୍ୟ କିଛି ନିମନ୍ତ୍ରିତ ରାଷ୍ଟ୍ର ମଧ୍ୟ ଅଂଶଗ୍ରହଣ କରିବେ । ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଚୀନ୍, ଋଷ, କାଜାଖସ୍ତାନ, କିର୍ଗିଜସ୍ଥାନ, ପାକିସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରାଯାଇଛି ।

ଏଥିସହ ଇରାନ, ବେଲାଋଷ ଏବଂ ମୋଙ୍ଗୋଲିଆକୁ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି । ଏସସିଓ ପରମ୍ପରା ଅନୁଯାୟୀ ତୁର୍କମେନିସ୍ତାନକୁ ମଧ୍ୟ ଚେୟାରର ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ଜୁନ୍‌ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ଜି-୨୦ ଓ ଏସସିଓ ସମ୍ମିଳନୀରେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଚୀନ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ୍‌ କହିଛନ୍ତି, ଚଳିତ ଥର ଭାରତ ଅଧ୍ୟକ୍ଷତାରେ ହେଉଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ସି.ଜୀନପିଙ୍ଗ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିବେ । ସଦସ୍ୟ ରାଷ୍ଟ୍ରମାନଙ୍କ ଏକାଧିକ ମିଳିତ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । ସଂଗଠନର ଉନ୍ନତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ମଧ୍ୟ ଆଲୋଚନା ହେବ । ସେହିପରି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ମଧ୍ୟ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କ ଅଂଶଗ୍ରହଣ ନେଇ ସ୍ପଷ୍ଟୀକରଣ ରଖିଛି ।

୨୦୦୫ରେ ଭାରତ ପ୍ରଥମ ଥର ଏସ୍‌ସିଓ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିଥିଲା । ପରେ ୨୦୧୭ରେ ଭାରତ ଏହି ସମ୍ମିଳନୀର ନିୟମିତ ସଦସ୍ୟ ମଧ୍ୟ ହୋଇଥିଲା । ଗତ 6ବର୍ଷ ଧରି ଭାରତ ଏହି ସମ୍ମିଳନୀରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସିଛି । ୨୦୨୨ ସେପ୍ଟେମ୍ବରେ ଉଜବେକିସ୍ତାନ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ସମାପିତ ହେବା ପରେ ଭାରତ ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା ।