ଆଜି କରୋନା ଟିକାର ୨ୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକାର ୨ୟ ଡୋଜ୍ ନେଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସରେ ସେ କୋଭିଡ-୧୯ ଟିକା ନେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ୧ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ।

ସୂଚନାଯୋଗ୍ୟ କରୋନା ଭାଇରସ ମୁକାବିଲା ଲାଗି ଟିକାକରଣ କ୍ଷେତ୍ରରେ ଆମେରିକାକୁ ଭାରତ ପଛରେ ପକାଇଛି। ବୁଧବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଏବେ ଦେଶରେ ମୋଟ ୮ କୋଟି ୭୦ ଲକ୍ଷ ଜଣଙ୍କୁ ଟିକାକରଣ କରାଯାଇଛି। ଦେଶରେ ଗତ ଜାନୁଆରୀ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କରୋନା ଟିକା ଦିଆଯାଇଥିଲା। ପରେ ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକ ଓ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବହୁରୋଗରେ ପୀଡିତଙ୍କୁ କରୋନା ଟିକା ଦିଆଯାଇଥିଲା। ଏବେ ଦେଶରେ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯାଉଛି।