ତାଉ’ତେ ବାତ୍ୟାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ରାଜ୍ୟରେ ବାତ୍ୟା ତାଉ’ତେର ସ୍ଥିତି ନେଇ ଆଲୋଚନା କରିଛନ୍ତି। ଗତ ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟାର ମୁକାବିଲା ନେଇ ଆଲୋଚନା କରିଥିଲେ।

ବାତ୍ୟା ତାଉ’ତେରେ ମୁମ୍ବାଇ, ଥାନେ ଓ ପାଲଘର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ରାଇଗଡ଼ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ଯୋଗୁଁ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଉଡାଣ ବାତିଲ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଇଗଡ଼, ପାଲଘର, ମୁମ୍ବାଇ, ଥାନେ ଓ ରତ୍ନଗିରି ଜିଲ୍ଲାରେ ବର୍ଷା ହେବା ସହିତ ୯୦-୧୦୦ କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିବ। ଆଗାମୀ ୨୪ ଘଣ୍ଟାରେ ବାତ୍ୟାଟି ଅତି ଭୟଙ୍କର ଝଡରେ ପରିଣତ ହେବାକୁ ଯାଉଥିବା ବେଳେ ଏହା ମେ’ ୧୮ ତାରିଖରେ ଗୁଜୁରାଟର ପଶ୍ଚିମ ଉପକୂଳ ଅତ୍ରିକମ କରିବା ନେଇ ପୂର୍ବାନୁମାନ ହୋଇଛି।