ଚୀନ ସହ ବିବାଦକୁ ନେଇ ମୋଦୀଙ୍କ ମୁଡ ଅଫ୍: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ସହ ଲାଗି ରହିଥିବା ଭାରତର ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ଚୀନ ବିବାଦକୁ ନେଇ ମୋଦୀ ଭଲ ମୁଡରେ ନଥିବା ମଧ୍ୟ ଟ୍ରମ୍ପ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଭାରତ-ଚୀନ ମାମଲାରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିଥିଲେ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କ’ଣ ସେ ଚିନ୍ତିତ ଅଛନ୍ତି ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ପିଏମ୍ ମୋଦୀଙ୍କ ସହ କଥା ହୋଇଛି। ଆଉ ଚୀନକୁ ନେଇ ଯାହା କିଛି ବି ଚାଲିଛି ତାହାକୁ ନେଇ ସେ ଆଦୌ ଭଲ ମୁଡରେ ନାହାନ୍ତି।’

ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ‘ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୁବ୍ ପସନ୍ଦ କରେ। ସେ ଜଣେ ମହାନ ବ୍ୟକ୍ତି। ଏବେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଦେଇଛି। ଉଭୟ ଦେଶର ଜନସଂଖ୍ୟା ୧.୪ ବିଲିୟନ ଲେଖାଏଁ ରହିଛି। ଉଭୟ ଦେଶର ସେନା ମଧ୍ୟ ଖୁବ୍ ଶକ୍ତିଶାଳୀ। ବୋଧହୁଏ ଉଭୟ ଦେଶ ମଧ୍ୟ ଏବେ ଖୁସି ନାହିଁ।’

ସୂଚନାଯୋଗ୍ୟ, ଗୋଟିଏ ପଟେ ଭାରତ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚୀନ ସହ ଲାଗି ରହିଥିବା ବିବାଦକୁ ସମାଧାନ କରିବାକୁ ଚାହୁଁଥିବା ସ୍ପଷ୍ଟ କରିଦେଇଛି। ଅନ୍ୟପଟେ ଚୀନ ଓ ଭାରତ ଆପୋଷ ବୁଝାମଣା ମଧ୍ୟରେ ହିଁ ସମସ୍ୟାର ସମାଧାନ କରିପାରିବେ ଆଉ ତାଙ୍କୁ ଟ୍ରମ୍ପଙ୍କର ଆବଶ୍ୟକତା ନାହିଁ ବୋଲି ଚୀନ୍ ମଧ୍ୟ ସ୍ପଷ୍ଟ କରିଦେଇଛି।