ୱାଶିଂଟନ୍,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିବସୀୟ ଆମେରିକା ଗସ୍ତରେ ଅଛନ୍ତି । ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ସେ ନିଜର ଜାପାନ ସମକକ୍ଷ ୟୋଶୀହିଦେ ସୁଗାଙ୍କୁ ଭେଟିଛନ୍ତି । ଜାପାନୀ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦୀଙ୍କ ଇଣ୍ଡୋ-ପେସିଫିକ, ଆଞ୍ଚଳିକ ବିକାଶ, ବ୍ୟବସାୟ, ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ପି ଟୁ ପି ପ୍ରସଙ୍ଗରେ କଥା ହୋଇଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଷ୍ଟ୍ରେଲିଆ ସମକକ୍ଷ ଷ୍ଟକ୍ସ ମରିସନଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ମୋବାଇଲ ଫୋନରେ କଥା ହେବାର ଏକ ସପ୍ତାହ ପରେ ସାକ୍ଷାତ ହୋଇଛି । ପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଅଂଶବିଶେଷରେ ବିକାଶ ନେଇ ସମୀକ୍ଷା ହୋଇଥିଲା । ଏବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ମାନେ ସୁରକ୍ଷା ସମେତ ଅନ୍ୟପ୍ରସଙ୍ଗରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହିତ ଭେଟ ପୂରା ହୋଇଛି । ମୋଦୀ ଏହି ସାକ୍ଷାତ ସମୟରେ କମଲା ହ୍ୟାରିସଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି । ଅନ୍ୟପଟରେ କମଲା ହ୍ୟାରିସ ମଧ୍ୟ ଭାରତର ଗୁଣଗାନ କରିଛି । ସେ କୋଭିଡ-୧୯ ଟିକାର ରପ୍ତାନୀ ପୁଣି ଥରେ ଆରମ୍ଭ କରିବା ଭାରତର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କମଲା ହ୍ୟାରିସଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।