ରାଜସ୍ଥାନରେ ୪ଟି ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ ଟେକ୍ନୋଲୋଜୀ (ସିପେଟ)ର ଉଦଘାଟନ କରିଛନ୍ତି। ଏଥିସହିତ ରାଜସ୍ଥାନରେ ୪ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଭାରତ କୋଭିଡ ମହାମାରୀରେ ଆତ୍ମନିର୍ଭର ହେବାର ସଙ୍କଳ୍ପ ନେଇଛି। ରାଜସ୍ଥାନରେ ୪ଟି ମେଡିକାଲ କଲେଜ ନିର୍ମାଣ ଓ ସିପେଟର ଉଦଘାଟନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ମୋଦୀ ଆହୁରି କହିଛନ୍ତି ଯେ, ୨୦୧୪ ପରେ ରାଜସ୍ଥାନରେ ୨୩ଟି ନୂଆ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିଲେ। ସେଥିମଧ୍ୟରୁ ୭ଟି ମେଡିକାଲ କଲେଜର ନିର୍ମାଣ ଆରମ୍ଭ ହୋଇଯାଇଛି। ଆଜି ବାଁସବାଡ଼ା, ସିରୋହୀ, ହନୁମାନଗଢ଼ ଓ ଦୋସାରେ ମେଡିକାଲ କଲେଜ ନିର୍ମାଣର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ ବୋଲି ଆଶା କରୁଛି। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସମସ୍ୟା ଥିଲା ତାକୁ ଦୂର କରିବା ପାଇଁ ୬-୭ ବର୍ଷ ହେବ ନିରନ୍ତର ପ୍ରୟାସ ଜାରି ରହିଛି।