ସ୍ୱଚ୍ଛତା ମିଶନରୁ ପ୍ରାପ୍ତ ଶିକ୍ଷା କରୋନା ଭାଇରସ ଲଢେଇରେ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ସ୍ୱଚ୍ଛତା ମିଶନରୁ ପ୍ରାପ୍ତ ଶିକ୍ଷା କରୋନା ଭାଇରସ୍ ଲଢେଇରେ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍କୁଲ ପିଲାମାନଙ୍କୁ କହିଛନ୍ତି। ପରେ ଆମ୍ଫି ଥିଏଟରରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ୩୬ ଜଣିଆ ସ୍କୁଲ ପିଲା ଦଳକୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ପରିଚ୍ଛନ୍ନତା ବିଷୟରେ ତୁମ୍ଭମାନଙ୍କର ଆଗ୍ରହ ଦେଖି ମୁଁ ଆନନ୍ଦିତ। ଆମେ ପଦାକୁ ବାହାରି ଆମର କାମ କରିବା, କିନ୍ତୁ କରୋନା ଭାଇରସ୍ ଠାରୁ ନିରାପଦ ରହିବା। ଏଥିପାଇଁ ଆମେ ମାସ୍କ ପିନ୍ଧିବା, ୬ ଫୁଟ ଦୂରତା ବଜାୟ ରଖିବା ଏବଂ ପଦାରେ ଛେପ ପକାଇବା ନାହିିଁ। ସେହିପରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରରେ ‘ସ୍ୱଚ୍ଛ ଭାରତ ମିଶନ’ର ଏକ ସଂକ୍ଷିପ୍ତ ଭିଡିଓ ଦେଖିଥିଲେ। ଏହା ପରେ ସେ ଗଳ୍ପ ରୂପରେ ବର୍ଣ୍ଣନା କରାଯାଇଥିବା ପରିମଳ ଯାତ୍ରା ସମ୍ବନ୍ଧରେ ବର୍ଣ୍ଣନା କରାଯାଉଥିବା ଏକ ପୂର୍ଣ୍ଣାଙ୍ଗ ଅଡିଓ-ଭିଜୁଆଲ ଶୋ’ ମଧ୍ୟ ଦେଖିଲେ।

ଏଥିରେ ‘ସ୍ୱଚ୍ଛ ଭାରତ ମିଶନ’ ୫ ବର୍ଷ ଯାତ୍ରାର ପ୍ରତିନିଧିତ୍ୱ କରି ୬ ଲକ୍ଷ ଗ୍ରାମ କିଭଳି ବାହ୍ୟ ମଳତ୍ୟାଗ ଅଭ୍ୟାସ ବଦଳାଇଛନ୍ତି ତାହା ବର୍ଣ୍ଣନା କରିଥିଲେ। ଏହା ବିଶ୍ୱ ଇତିହାସରେ ସବୁଠୁ ବଡ ଅଭ୍ୟାସଗତ ପରିବର୍ତ୍ତନ ଅଭିଯାନ ବୋଲି କୁହାଯାଉଛି। ଏଥିସହିତ ସମଗ୍ର ବିଶ୍ୱ ଏବେ ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ନୀତି ଗ୍ରହଣ କରିବାକୁ ଆଗଭର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।