ପିଏମ-କିଷାନ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମ କୋହଳ

ଭୁବନେଶ୍ୱର,ଏନଏନଏସ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଜମି ଥିବା କୃଷକ ପରିବାରଗୁଡ଼ିକୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଚାରି ମାସରେ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତିନୋଟି କିସ୍ତିରେ ପ୍ରଦାନ କରାଯାଇଥାଏ । ଏହି ଅର୍ଥରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)  ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଇଥାଏ ।

ଏହି ଯୋଜନା ଅନ୍ତର୍ଗତ ୧ ଅଗଷ୍ଟ, ୨୦୧୯ ପରେ ହିତାଧିକାରୀଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ଡିସେମ୍ବର ୨୦୧୮ ଓ ମାର୍ଚ୍ଚ ୨୦୧୯ରେ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଥିଲା । ଏହି ଅର୍ଥରାଶି କେବଳ ଆଧାର ସଂଖ୍ୟା ଥିବା ବ୍ୟାଙ୍କ ଖାତାଧାରୀଙ୍କୁ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ହିତାଧିକାରୀଙ୍କୁ ୧ ଅଗଷ୍ଟ, ୨୦୧୯ରେ ପ୍ରଥମ କିସ୍ତି କେବଳ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଦିଆଯାଇଥାନ୍ତା । ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଅର୍ଥ ପଇଠ ସମ୍ଭବ ହେଉନଥିବାରୁ ଆସାମ, ମେଘାଳୟ ଓ ଜମ୍ମୁ ଓ କଶ୍ମୀରର କୃଷକଙ୍କ ପାଇଁ ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ ଏହି ନିୟମ କୋହଳ କରାଯାଇଛି ।

ତେବେ ୧ ଅଗଷ୍ଟ, ୨୦୧୯ ପରେ କିସ୍ତି ଜାରି କରିବାର ନିର୍ଦ୍ଧାରିତ ସମୟ ସୁଦ୍ଧା ଅର୍ଥରାଶି ଜାରି କରିବା ଲାଗି ୧୦୦ ପ୍ରତିଶତ ଆକାଉଂଟକୁ ଆଧାର ସହିତ ଯୋଡ଼ିବା ସମ୍ଭବ ହୋଇପାରିଲା ନାହିଁ । ବର୍ତମାନ କୃଷକମାନେ ରବି ଋତୁ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ କୃଷି ସହ ଜଡ଼ିତ ଅନେକ କାର‌୍ୟ୍ୟ ଯେପରିକି ବିହନ କ୍ରୟ, ମାଟି ପ୍ରସ୍ତୁତି ଏବଂ ଜଳସେଚନ ଗତିବିଧି, ମେସିନ ଏବଂ ସରଞ୍ଜାମ ରକ୍ଷଣାବେକ୍ଷଣ ଲାଗି ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି ।

ଏହି ଆବଶ୍ୟକତା ସହିତ, ନିକଟରେ ଆରମ୍ଭ ହୋଇଥିବା ପାର୍ବଣ ଋତୁରେ ମଧ୍ୟ ଗରିବ କୃଷକ ପରିବାର ଉପରେ ଅତିରିକ୍ତ ଅର୍ଥ ବୋଝ ପଡ଼ିବ । ଆଧାର ସଂଖ୍ୟା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ସଂଯୋଗ କରାଯାଇ ନପାରିବା କାରଣରୁ ପରବର୍ତୀ କିସ୍ତି ଜାରି ହେବାରେ ବିଳମ୍ବ ହେବ  । ଏହି କାରଣରୁ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ ।

ସେଥିପାଇଁ ୧ ଅଗଷ୍ଟ ୨୦୧୯ ପରେ ହିତାଧିକାରୀଙ୍କୁ ଲାଭ ଜାରି କରିବା ଲାଗି ବ୍ୟାଙ୍କ ଆକାଉଂଟକୁ ଆଧାର ସଂଖ୍ୟା ସହ ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରାଯାଇଛି । ଫଳରେ ବହୁ ସଂଖ୍ୟକ କୃଷକମାନଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନ କରାଯିବା ସମ୍ଭବ ହେବ । ଲାଭ ଜାରି କରିବା ଲାଗି ଏହି ବାଧ୍ୟତାମୂଳକ ନିୟମ ୧ ଡିସେମ୍ବର, ୨୦୧୯ ପରେ ଲାଗୁ ହେବ । ସରକାର କିସ୍ତି ପଇଠ କରିବା ପୂର୍ବରୁ ଏହି ତଥ୍ୟର ବୈଧତା ଲାଗି ସରକାର ଆବଶ୍ୟକ ଉପାୟ କରିବେ ।