ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂତନ ପଦକ୍ଷେପ

ସମ୍ବଲପୁର,ଦେବଗଡ଼,ଅନୁଗୁଳ,କେନ୍ଦ୍ରାପଡ଼ା,ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂତନ ପଦକ୍ଷେପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ,କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍ରୁ ଗସ୍ତ ପରେ ରୋଗୀମାନଙ୍କ ଫିଡବ୍ୟାକ୍ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଉକ୍ତ ନିଷ୍ପତ୍ତିନୁଯାୟୀ,ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ଓ ସୋନପୁର ଜିଲ୍ଲାର ସଦରମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିର ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୫ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଉକ୍ତ ୬ଟି ଜିଲ୍ଲାର ପୁଲିସ ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତ ଦିଆଯିବ। ଏହିସବୁ ଜିଲ୍ଲାର ହସପିଟାଲମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ରେଷ୍ଟ୍ ସେଡ୍ ନିର୍ମାଣ କରାଯିବ।

ସମ୍ବଲପୁର ଜିଲ୍ଲା ହସପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲଟି ଓ ବର୍ହୁିବିଭାଗ ଚିକିତ୍ସା ବିଲ୍ଡିଂ ନିର୍ମାଣ କରାଯିବ। ଜିଲ୍ଲା ସଦରମହକୁମା ହସପିଟାଲରେ ମା’ଗୃହ ପାଇଁ ନୂତନ ବିଲ୍ଡିଂ ନିର୍ମାଣ କରାଯିବ। ସଦରମହକୁମା ହସପିଟାଲରେ ରୋଗ ପରୀକ୍ଷା ପାଇଁ ସମନ୍ୱିତ ଲାବୋରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାଏଲିସିସ୍ ୟୁନିଟ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସପିଟାଲକୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍ ସେଣ୍ଟର ଭାବେ ବିକଶିତ କରାଯିବ। ଡିପିଏମୟୁ ବିଲ୍ଡିଂ ପାଇଁ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ କରାଯିବ।
ଦେବଗଡ଼ ଜିଲ୍ଲା ସଦରମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ।

ଅନୁଗୁଳ ଜିଲ୍ଲା ସଦରମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟମ୍ପସ୍ ମଧ୍ୟରେ ଏକ ନୂଆବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଡାଏଲିସିସ୍ ୟୁନିଟର ସମ୍ପ୍ରସାରଣ କରାଯିବ। ଆଇସିୟୁ ୟୁନିଟର ସୁଦୃଢ଼ୀକରଣ ସହିତ ଆନେସ୍ଥେସିଆ ୱାର୍କ ଷ୍ଟେସନ, ଅତିରିକ୍ତ ଇଲେକ୍ଟ୍ରିକ୍ ଅଟୋକ୍ଲେ ଏବଂ ଅତିରିକ୍ତି ଇସିଜି ମେସିନ୍ ଯୋଗାଇ ଦିଆଯିବ।

କେନ୍ଦ୍ରାପଡ଼ା ଜିଲ୍ଲା ସଦରମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହିତ ନୂଆ କ୍ୟାମ୍ପସରେ ଷ୍ଟାଫ୍ କ୍ୱାଟର୍ସ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ଡାଏଲିସିସ୍ ୟୁନିଟର ସମ୍ପ୍ରସାରଣ ସହିତ ୨ଟି ଅତିରିକ୍ତ ଆମ୍ବୁଲାନ୍ସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ।

ସୋନପୁର ଜିଲ୍ଲା ସଦରମହକୁମାର ହସପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଏକମାସ ମଧ୍ୟରେ ଆରମ୍ଭ କରାଯିବ। ଏହା ସହିତ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜିଲ୍ଲା ହସପିଟାଲରେ ସେବାର ମାନ ବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲ୍ଟ୍ରାସାଉଣ୍ଡ୍ ମେସିନ୍, ବିଲିରୁବିନନୋ ମିଟର୍, ସେମି ଅଟୋ ଆନାଲାଇଜର୍, ମଲ୍ଟି ପାରାମିଟର୍ ଏବଂ ସିବିସି ମେସିନ୍ ଯୋଗାଇ ଦିଆଯିବ। ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସପିଟାଲ୍ ବିଲ୍ଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏମସିଏଚ୍ରେ ଏକ ମୋର୍ଟୁଆରୀ ୟୁନିଟ ମଧ୍ୟ ପ୍ରତିଷ୍ଠା କରାଯିବ।