ଭାରତ ଭିତରେ ଜୈସ ଆତଙ୍କବାଦୀ: ଟାର୍ଗେଟରେ ମୋଦୀ, ଶାହା ଓ ଡୋଭାଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମିର ଓ ଏହାର ଆଖପାଖ ରାଜ୍ୟରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ୧୦ ଜଣ ଜୈସ-ଇ-ଅହମ୍ମଦର ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗ କହିଛି। ଏନେଇ ସମ୍ପୃକ୍ତ ବିଭାଗ ସତର୍କ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀନଗର, ଅବନ୍ତିପୁର, ଜମ୍ମୁ, ପଠାନକୋଟ୍ ଏବଂ ହିଣ୍ଡନ ବିମାନଘାଟିରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ତେବେ ଗୁଇନ୍ଦା ବିଭାଗ ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଛନ୍ତି।

ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆମ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମ ସୁରକ୍ଷା ବାହିନୀ ସକ୍ଷମ ଅଟେ। ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଏଲଓସିରେ ୫୦୦ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ ଅପେକ୍ଷାରେ ଅଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ ଆତଙ୍କବାଦୀ ପଠାଯିବ ବୋଲି ପାକିସ୍ତାନ ଖୋଲାଖୋଲି ଘୋଷଣା କରିସାରିଛି।