ପିଏଲଏଫଆଇ ଏରିଆ କମାଣ୍ଡର ଗିରଫ: ପିସ୍ତଲ ଓ ଗୁଳି ଜବତ

ରାଉରକେଲା,ଏନ୍ଏନ୍ଏସ୍: ଝାଡ଼ଖଣ୍ଡରେ ସକ୍ରିୟ ଦିନେଶ ଗୋପ ଗ୍ୟାଙ୍ଗର ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚାମ୍ପିଆ(୩୦) ରାଉରକେଲା ପୁଲିସ ଦ୍ୱାରା ଗିରଫ ହୋଇଛି। ବିଶ୍ରା ପୁଲିସ ଥାନା ଅନ୍ତର୍ଗତ ଡରେଇକେଲା ଅଞ୍ଚଳରୁ ମହେନ୍ଦ୍ରଙ୍କୁ ଗିରଫ କରାଯାଇଛି।

ପୁଲିସ ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ମାଗାଜିନ ଜବତ କରିଛି। ଏ ନେଇ ସୋମବାର ରାଉରକେଲା ପୁଲିସ ମୁଖ୍ୟାଳୟରେ ଡିଆଜି କବିତା ଜଲାନ ଓ ରାଉରକେଲା ଏସପି କେ. ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମହେନ୍ଦ୍ର ଚୋରି, ଡକାୟତି, ହତ୍ୟା, ରାହାଜାନି ଆଦି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବିଭିନ୍ନ ଥାନାରେ ମାମଲା ରହିଛି।

ଝାଡ଼ଖଣ୍ଡ ପିଏଲଏଫଆଇ ମୁଖ୍ୟ ଦିନେଶ ଗୋପଙ୍କ ଅଧିନରେ ମହେନ୍ଦ୍ର ବିଶ୍ରା, ହାତିବାରୀ, ନୂଆଗାଁ, ରାଇବୋଗା, ତଲସେରା ତଥା ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ୨୦୧୨ ମସିହାରରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକଳାପ ଚଳାଇ ଆସୁଥିଲେ। ୨୦୧୨ ମସିହାରେ ୭ଟି ମାମଲାରେ ସେ ଫେରାର ଥିଲେ। ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ଅଂଚଳର ବଡ଼ ବ୍ୟସାୟୀଙ୍କୁ ପିସ୍ତଲ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଭୟରେ କେହି ତାଙ୍କ ନାମରେ ଅଭିଯୋଗ କରୁ ନ ଥିଲେ। ମହେନ୍ଦ୍ର ସୁନ୍ଦରଗଡ଼ ହାତିବାରୀ ଥାନା ଅନ୍ତର୍ଗତ କୋଇମୁଣ୍ଡାର ନିବାସୀ ଅଟନ୍ତି।