ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ପାଳନ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆୟୋଜିତ ପ୍ଲାଟିନମ୍‌ ଭାବିଲି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଇ-ଲାଇବ୍ରେରୀ ଉଦ୍‌ଘାଟନ କରିବା ସହ ରୁଷା ଭବନର ଶିଳାନ୍ୟାସ କରିଛନ୍ତି।

ପ୍ଲାଟିନମ୍ ଜୁବୁଲି ଉତ୍ସବ ୫ଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟର ଅଥରିଟି ଅଧ୍ୟକ୍ଷ ସୁବ୍ରତବାଗ୍‌ଚିକୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହିଛନ୍ତି। ଏଥିସହ ବିଶ୍ୱବିଦ୍ୟାଳୟର ସମସ୍ତ ପୁରାତନ ଏବଂ ଅଧ୍ୟୟନରତ ଛାତ୍ରୀଛାତ୍ର ଯୋଗ ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୪ତାରିଖରେ ପୁରାତନ ଛାତ୍ରୀଛାତ୍ରଙ୍କ ମହାମିଳନ ଆୟୋଜନ ହେବ।

ଏଥିରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେବେ ବୋଲି ସୂଚନା ମିଳିଛି। ସେହିପରି ସକାଳ ୯ଟାରୁ ଦିନ ୧୦ଟା ୪୫ ପର୍ଯ୍ୟନ୍ତ ପୁରାତନ ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭାଗ ପରିଦର୍ଶନ କରିବେ। ଆଲୁୁମିନି ବିଭାଗ ଆବାହକ ତଥା ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।

ସମ୍ମାନିତ ଅତିଥିଭାବେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଏମ୍‌ପି ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଭାଜପା ନେତା ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେବେ। ସେହିପରି ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲେସ୍‌ମେଣ୍ଟ ଓ କ୍ୟାମ୍ପସ ଡେଭଲପମେଣ୍ଟ’ ବିଷୟରେ ଆଲୋଚନା ହେବ ବୋଲି ଜଣାଯାଇଛି।

ଗତ ୨୫ତାରିଖ ସକାଳେ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ବିଭାଗ ଓ ହଷ୍ଟେଲ ବୁଲିବେ। ପୂର୍ବାହ୍ଣରେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ ହେବ। ବିହାରସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେବେ।

ସମ୍ମାନିତ ଅତିଥିଭାବେ ପ୍ରଫେସର ଅଶୋକ ଦାସ, ଆଇଏଏସ୍‍ ମଧୁସୂଦନ ପାଢ଼ୀ ଏବଂ ଶାଶ୍ୱତ ମିଶ୍ର ଯୋଗଦେବେ। ଅପରାହ୍ଣରେ ସେମାନେ ବିଭିନ୍ନ ହଷ୍ଟେଲ ଓ କ୍ୟାମ୍ପସ ବୁଲିବାର କାର୍ଯ୍ୟକ୍ରମ ରହିଛି।