ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ଲାଟିନମ ଜୁବୁଲି: ନାଁ ଥାଇ ବି ସ୍ଥାନୀୟ ବିଧାୟକଙ୍କୁ ନାହିଁ ନିମନ୍ତ୍ରଣ

ବଲାଙ୍ଗୀର,ଏନଏନଏସ: ଆସନ୍ତକାଲି(ଶୁକ୍ରବାର) ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଉଦ୍ଘାଟିତ ହେବ । ଏହାକୁ ଉପ ରାଷ୍ଟ୍ରପତି ଉଦ୍ଘାଟନ କରିବାକୁ ଥିବା ବେଳେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ସରକାରଙ୍କ ମନ୍ତ୍ରୀ ଅରୁଣ କୁମାର ସାହୁ , ସ୍ଥାନୀୟ ସାଂସଦ ସଙ୍ଗୀତା ସିଂଦେଓ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗ ଦେବେ ବୋଲି ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି । ତେବେ ନିମନ୍ତ୍ରଣ ପତ୍ରରେ ନାମ ଛପାଯାଇଥିଲେ ମଧ୍ୟ ଉତ୍ସବକୁ ମତେ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ।

ପ୍ରୋଟକଲ ଅନୁଯାୟୀ , ଶ୍ରୀ ମିଶ୍ର ଏହି ଉତ୍ସବରେ ଶ୍ରୀ ମିଶ୍ର ଯୋଗଦେବାର ନିୟମ ରହିଛି । ତେବେ ଆୟୋଜକ କମିଟି ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିବା ଉଚିତ । ତେଣୁ ସେ ଜୁବୁଲି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି । କିନ୍ତୁ ଜୁବୁଲି କାର୍ଯ୍ୟକ୍ରମକୁ ସେ ପୂର୍ଣ୍ଣ ରୂପରେ ସମର୍ଥନ କରୁଥିବା ଘୋଷଣା କରିଛନ୍ତି । ଏହା ସହିତ ବରକାନିରେ ଲୋକାର୍ପିତ ହେବାକୁ ଥିବା ବିପିସିଏଲ ବୋଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି କହିଛନ୍ତି ।

ବୋଟଲିଂ ପ୍ଲାଣ୍ଟ ଏକ ବିକାଶମୂଳକ କାର୍ଯ୍ୟ ଅଟେ । ଏହା ଦ୍ୱାରା ଅଞ୍ଚଳର କିଛି ବିକାଶ ହେବ ବୋଲି ମଧ୍ୟ ନରସିଂହ ଆଶା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମୁଷ୍ଟିମେୟ ବ୍ୟକ୍ତି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମକୁ ମନ ଇଛା ପରିଚାଳନା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ , ଡା.ସୁଧିର ପରିଛା , ରାଜେନ୍ଦ୍ର ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ମନୀଷ ମିଶ୍ର ଓ ନାରୀନେତ୍ରୀ ମୌତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।