କୋରାପୁଟରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ବୈଷୟିକ କମିଟି ବୈଠକ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ଡା. କୃଷ୍ଣଚନ୍ଦ୍ର ବିଶ୍ୱାଳ, ହସ୍ପିିଟାଲ ଅଧୀକ୍ଷକ ଡା. ସୀତାରାମ ମହାପାତ୍ର, ସିଡିଏମଓ ଡା. ମକରନ୍ଦ ବେଉରା ଓ କୋରାପୁଟ ବ୍ଲକବ୍ୟାଙ୍କ ଅଧିକାରୀ ଡା. ଏମ ଏସ ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ବୈଷୟିକ ଜ୍ଞାନ କୌଶଳ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ଯେଉଁ ମେସିନର ଆବଶ୍ୟକତା ରହିଛି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ବିବରଣୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମକୁ ପ୍ଲାଜମା ବ୍ୟାଙ୍କର ଜିଲ୍ଲା ନୋଡାଲ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଉପସ୍ଥିତ ଥିଲେ।