ଭାରତ-ବାଂଲାଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ‘ଏୟାର ବବୁଲ’ ବ୍ୟବସ୍ଥାରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହୋଇଛି। ଗତ ମଙ୍ଗଳବାର ଦୁଇଟି ବିମାନ ଢାକା ଛାଡିଛି । ଢାକାସ୍ଥିତ ହଜରତ ଶାହାଜଲାଲ ବିମାନବନ୍ଦରରେ ଭାରତର ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ଏବଂ ବାଂଲାଦେଶର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମୁଖ୍ୟ ଏୟାର ଭାଇସ ମାର୍ଶାଲ ମାଫିଦୂର ରହମାନ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି । ୟୁଏସ୍ ବଙ୍ଗଳା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ପ୍ରଥମ ଦୁଇଟି ବିମାନ ବୁଧବାର ସକାଳେ ଢାକାରୁ କୋଲକାତା ଏବଂ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି ।

ଏହି ବିମାନ ଉଡାଣ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁବିଧା ହେବ ବୋଲି ଜଣାପଡିଛି । ଭାରତରେ ଜରୁରୀ ଚିକିତ୍ସା ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ ଦ୍ୱାରା ଏହାକୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯାଇଛି । ଉଚ୍ଚାଯୁକ୍ତ ବିକ୍ରମ ଦୋରାଇସ୍ୱାମୀ କହିଛନ୍ତି, ଚିକିତ୍ସା ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଏହି ବିମାନ ସେବା ବିଶେଷ ଉପଯୋଗୀ ହେବ । ଏହି ସେବା ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ମଜଭୂତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ପୂର୍ବରୁ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ବିମାନ ବାଂଲାଦେଶ, ୟୁଏସ୍ ବଙ୍ଗଳା ଏୟାରଲାଇନ୍ସ ଏବଂ ନୋଭୋଏୟାରଯ ଭାରତକୁ ସପ୍ତାହରେ ୨୮ଟି ବିମାନ ଚଳାଚଳ କରିବ ।