ରେଲୱେ ଟ୍ରାକକୁ ଖାଲି କଲେ ପଞ୍ଜାବରେ ଆରମ୍ଭ ହେବ ରେଳ ସେବା: ପୀୟୂଷ ଗୋଏଲ

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବରେ ପୁଣି ଟ୍ରେନ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ପୀୟୂଷ ଗୋଏଲ। ନିକଟରେ ନୂତନ କୃଷି ନୀତିକୁ ନେଇ ସଂସଦରେ ବିଲ ପାସ ହୋଇଥିବା ବେଳେ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଏନେଇ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ଓ ହରିଆଣାର ଚାଷୀମାନେ ମଧ୍ୟ ଧାରଣା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଚାଷୀମାନେ ରେଳ ରୋକ ମଧ୍ୟ କରିଛନ୍ତି। ଫଳରେ ପଞ୍ଜାବରେ ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି।

ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ପଞ୍ଜାବରେ ସାଂସଦଙ୍କ ସହିତ ଭେଟି ଆଲୋଚନା କରିସାରିଛନ୍ତି। ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂହଙ୍କୁ ରେଳ ଲାଇନକୁ ଖାଲି କରାଇବା ସହ ରେଳ ସମ୍ପତ୍ତିକୁ ସୁରକ୍ଷା ଯୋଗାଇବାକୁ କହିଛନ୍ତି। ଏହି ରେଳ ସେବା ବନ୍ଦ ଥିବାରୁ କୃଷକ, ଶିଳ୍ପାନୁଷ୍ଠାନ, ଏମଏସଏମଇ ସହିତ ସାଧାରଣ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।