ପିପିଲିରେ ସମ୍ବିତ ପାତ୍ରଙ୍କ ପ୍ରଚାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ ପୂର୍ବରୁ ଦଳୀୟ ପ୍ରଚାରକୁ ଜୋରଦାର କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ଦଳର ଛାମୁଆ ନେତାମାନେ ପିପିଲିରେ ଡେରା ପକାଇଛନ୍ତି। ବିଭିନ୍ନ ସ୍ଥାନରେ ଘନ ଘନ ବୈଠକ ଡକାଇ କର୍ମୀଙ୍କୁ ଏକଜୁଟ୍ କରୁଛନ୍ତି ବିଜେପି ନେତୃମଣ୍ଡଳୀ। ଇତିମଧ୍ୟରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ନିର୍ବାଚନମଣ୍ଡଳୀରେ ହାଇଭୋଲଟେଜ ପ୍ରଚାର ଆରମ୍ଭ କରିଛନ୍ତି ଦଳର ପୁରୀ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର।

ପିପିଲି ବ୍ଲକର ଯଶୁଅ।।ପୁର ଏବଂ ବୀରପୁରୁଷୋତ୍ତମପୁର ପଞ୍ଚାୟତରେ ଆଜି ଦଳୀୟ ସମର୍ଥକଙ୍କ ସହ ଗାଁ କୁ ଗାଁ ବୁଲି ପଥପ୍ରାନ୍ତ ସଭା କରିଛନ୍ତି ଡ. ପାତ୍ର। ଏଥିସହ ସାଧାରଣ ଜନତାଙ୍କୁ ଭେଟି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ଅଞ୍ଚଳରେ ଫାନି କ୍ଷତିଗ୍ରସ୍ତଙ୍କୁ ଏବେସୁଦ୍ଧା ଘର ନମିଳିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ବାତ୍ୟାକୁ ୨ ବର୍ଷ ବିତିଲା ପରେ ମଧ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସହାୟତା ନପହଞ୍ଚିବା
ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବାତ୍ୟା ପୂର୍ବରୁ ଏବଂ ପରେ କେନ୍ଦ୍ରରୁ ମୋଦୀ ସରକାର ପ୍ରଚୁର ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହେଲେ ଏଠାରେ ଦଳୀୟ ଅଧାରରେ ଗୃହ ବଣ୍ଟନ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯାହା ପାଖରେ କୋଠା ଘର ଅଛି ସେମାନଙ୍କୁ ଗୃହଯୋଗାଇ ଦିଆଯାଇଛି। ମାତ୍ର, ଯାହାର ଚାଳ ଛପର ଉଡ଼ିଯାଇଥିଲା ସେମାନେ ଆଜି ମଧ୍ୟ ଖୋଲା ଆକାଶ ତଳେ ବାସ କରୁଛନ୍ତି। ଏହା ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ଡ. ପାତ୍ର କହିଛନ୍ତି। ପିପିଲି-ଡ଼େଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ଆଗାମୀ ଉପନିର୍ବାଚନ ପରିବର୍ତ୍ତନର ସ୍ୱର ହେବବୋଲି ସେ କହିଛନ୍ତି।