ବୁଥ ପିଛା ଭୋଟ୍ ଦେବେ ସର୍ବାଧିକ ୧୦୦୦ ଭୋଟର: ଲୋହାନୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ହେବ। ମାର୍ଚ୍ଚ ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତି। ତେବେ ଉପନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଦେଇଛନ୍ତି ସୂଚନା। ସେ କହିଛନ୍ତି ଯେ, “କୋଭିଡ୍ କଟକଣାରେ ଭୋଟ ଗ୍ରହଣ କରାଯିବ। ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ। ବୁଥ ସଂଖ୍ୟା ୨୭୧ରୁ ବୃଦ୍ଧି କରାଯାଇ ୩୪୮ କରାଯାଇଛି। ମାସ୍କ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ। ପ୍ରତି ବୁଥ୍ରେ ଜଣେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜନ କରାଯିବ। ୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପାଇଁ ଅନୁମତି ମିଳିବ। ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯିବ। ନିର୍ବାଚନରେ ସଂପୃକ୍ତ ସମସ୍ତଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ। ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯାଇ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବ। ନାମାଙ୍କନ ସମୟରେ ଦୁଇଟି ଗାଡ଼ି ବ୍ୟବହାର ହେବ। ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ସାମିଲ ହୋଇପାରିବେ। ଗାଇଡ଼ଲାଇନ ଅନୁସାରେ ସଭା ସମିତି ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ। ପୋଲିଂ ଅଧିକାରୀଙ୍କ ଟ୍ରେନିଂ ହେବ। ନିର୍ବାଚନ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ସେମାନଙ୍କୁ ଟିକା ଦିଆଯିବ। ଏଥି ପାଇଁ ଜଣେ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ରହିବେ। କରୋନା କଟକଣାରେ ଉପନିର୍ବାଚନ ପ୍ରକ୍ରିୟା ସରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ ଭୋଟର। ଅଙ୍ଗନବାଡି ଓ ଆଶା କର୍ମୀ ପ୍ରତି ବୁଥରେ ନିୟୋଜିତ ରହିବେ। ସବୁ କର୍ମଚାରୀ ଓ ଭୋଟରଙ୍କ ଥର୍ମାଲ ସ୍କାନିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।