ବିକାଶ ପାଇଁ ବିଜେପିକୁ ଭୋଟ୍ ଦେବାପାଇଁ ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ମଙ୍ଗଳବାର ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀ ଉପକଣ୍ଠସ୍ଥ ଉତ୍ତରା ଛକ ଠାରୁ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କୁ ସାଙ୍ଗରେ ଧରି ସେ ଏକ ବିଶାଳ ରାଲିରେ ପିପିଲି ଅଭିମୁଖେ ବାହାରିଥିଲେ। ପରେ ନିର୍ବାଚନମଣ୍ଡଳୀର ବିଭିନ୍ନ ଜାଗାରେ ମାରାଥନ ପ୍ରଚାର କରିଛନ୍ତି। ଏହି ଅବସରରେ ପିପିଲିରେ ଶାନ୍ତି ଓ ବିକାଶ ପାଇଁ ବିଜେପିକୁ ଭୋଟ୍ଦେବାପାଇଁ ସେ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି। ସେହିପରି ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।

ପିପିଲି-ଡେଲାଙ୍ଗବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଥିଲେ ଯେ ସ୍ୱାଧୀନତାର ସବୁଠୁ ବଡ଼ ଉପଲବ୍ଧି ହେଉଛି ଗଣତନ୍ତ୍ର, ଶାନ୍ତି ଓ ଭାଇଚାରା। ମାତ୍ର ବିଗତ ୪୦ ବର୍ଷ ଧରି ପିପିଲିରେ ଶାନ୍ତି ନାହିଁ। ଏଠାରେ ଶାନ୍ତି ହଜି ଯାଇଛି। ଶାନ୍ତି ଫେରିଲେ ଯାଇ ଅଞ୍ଚଳର ବିକାଶ ହେବ ଓ ପ୍ରଗତି ହେବ। ଏଠାରେ ରୋଜଗାର ବଢ଼ିବ, ଦାରିଦ୍ର୍ୟ ମୁକ୍ତ ହେବ, ପିପିଲି ଚାନ୍ଦୁଆ ବିକ୍ରି ହେବ, କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ ଏବଂ ଲୋକଙ୍କ ଭିତରେ ସମ୍ପନ୍ନତା ଆସିବ। ତେଣୁ ପିପିଲିର ସବୁ ଭୋଟର ଭାଇ ଭଉଣୀ, ରାଜନୈତିକ ଦଳ ଓ ରାଜନୈତିକ ନେତୃତ୍ୱଙ୍କୁ ପିପିଲିରେ ଶାନ୍ତି ଆପଣାଇବା ପାଇଁ ସେ ବିନମ୍ର ଅନୁରୋଧ କରିଛନ୍ତି। ପିପିଲିରେ ଶାନ୍ତି ପ୍ରତିଷ୍ଠା ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର ସବକା ସାଥ୍ – ସବକା ବିକାଶ – ସବକା ବିଶ୍ୱାସ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।
ନିର୍ବାଚନୀ ରୋଡ୍ ଶୋ’ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିପିଲି ହେଉଛି ଆମ ସଭ୍ୟତା, ମହାପ୍ରଭୁ ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ମୁଖଶାଳା। ଆମେ ଯେତେବେଳେ ମହାତ୍ମା ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛେ, ସେହି ସମୟରେ ପୁରୀ ଜିଲ୍ଲା ପିପିଲିରେ ଉପନିର୍ବାଚନ ହେଉଛି। ୧୯୩୮ ମସିହାରେ ମହାତ୍ମା ଗାନ୍ଧୀ ପତ୍ନୀ କସ୍ତୁରବା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମହାଦେବ ଦେଶାଇଙ୍କ ସହ ଆସି ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗ ତଥା ବେରବୋଇ ଅଞ୍ଚଳରେ ୮ ଦିନ ରହିଥିଲେ। ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ଡକ୍ଟର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମା ଦେବୀ, ମାଳତୀ ଦେବୀ, ଆଚାର୍ଯ୍ୟ ହରିହରଙ୍କ ଭଳି ଓଡ଼ିଶାର ତୁଙ୍ଗ ନେତୃତ୍ୱ। ସେ ସମୟରେ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ଅର୍ଥନୀତି, ସ୍ୱଦେଶୀ ନୀତି, ଖଦି, ଜାତିପ୍ରଥା, ସେବା ତଥା ବିଭିନ୍ନ ସମାଜ ସଂସ୍କାରର ଆଲୋଚନା ଏହି ପବିତ୍ର ମାଟିରେ ହିଁ ହୋଇଥିଲା।
ଶ୍ରୀ ପ୍ରଧାନ ପ୍ରଥମେ ଉତ୍ତରା ଛକଠାରୁ ଗୁଡ଼ିଆ ପୋଖରୀ, ଜଇସନ ପାଟଣା, ପିପିଲି ଏନଏସି, ଜଟଣୀ ଛକ, ଜଟଣୀ ରୋଡ, ଡଙ୍ଗୋହିରି, ହାଟସାହୀ, ବାଜପେୟୀ, ଦାଣ୍ଡ ମୁକୁନ୍ଦପୁରୁ, ମଙ୍ଗଳପୁରୁ, ତେଇସିପୁରୁ ଦେଇ ସାତଶଙ୍ଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିଥିଲେ। ଏହାସହ ପରେ ସାତଶଙ୍ଖ ଠାରୁ ପଟ୍ଟନାୟିକା, ମୋହିନୀମଠ, ପିଢାପାଟଣା, ଷ୍ଟେସନ ବଜାର ପର୍ଯ୍ୟନ୍ତ ନିର୍ବାଚନ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।
ବେରବୋଇ ଠାରେ ମଣ୍ଡଳ ସଭାପତି ସୁଧାଂଶୁଶେଖର ପରିଡ଼ା ଓ ଚନ୍ଦ୍ରଶେଖର ବିଶ୍ୱାଳ, ଡେଲାଙ୍ଗ ହାଟ ବଜାର ଠାରେ ବରିଷ୍ଠ କର୍ମୀ ଦୁର୍ଗାଚରଣ ରାଉତରାୟ, ଗଙ୍ଗାଧର ବରାଳ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ନନ୍ଦ, ସୁରଥ ବିଶ୍ୱାଳ, ଅର୍ଚ୍ଚନା ଦାସ, ଆଶୁତୋଷ ବେହେରା,ବିକାଶ ପଟ୍ଟନାୟକ, ମାନସ ମହାନ୍ତି ଓ ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା ପ୍ରମୁଖ ରୋଡ୍ ଶୋ’ବେଳେ ଉପସ୍ଥିତ ଥିଲେ।